ସେନା ଅଧିକାରୀଙ୍କୁ ସାବାସି ! ପଥର ଫିଙ୍ଗୁଥିବା ଯୁବକଙ୍କୁ ଜିପର ବନେଟରେ ବାନ୍ଧି ପାଇଲେ ପୁରସ୍କାର

24

କନକ ବ୍ୟୁରୋ : ବିଦ୍ରୋହକୁ ଦୃଢହସ୍ତରେ ଦମନ କରିଥିବାରୁ ସେନା ଅଧିକାରୀ ମେଜର ଲିଟୁଲ ଗୋଗୋଇ ସମ୍ବର୍ଦ୍ଧିତ । ଜମ୍ମୁ କାଶ୍ମୀରରେ ପଥର ଫିଙ୍ଗୁଥିବା ଜଣେ ଯୁବକଙ୍କୁ ଜିପ୍ ବନେଟରେ ବାନ୍ଧି ରାସ୍ତାରେ ବୁଲାଇଥିଲେ ଲିଟୁଲ ଗୋଗୋଇ । ମେଜର ଲିଟୁଲ ଗୋଗୋଇଙ୍କୁ ଆର୍ମି ଚିଫ କମେଣ୍ଡେସନ କାର୍ଡ ପ୍ରଦାନ କରିଛନ୍ତି ସେନା ମୁଖ୍ୟ ବିପିନ ରାୱତ ।

ଗତ ସପ୍ତାହରେ ସେନା ମୁଖ୍ୟ ଜମ୍ମୁ କାଶ୍ମୀର ଗସ୍ତ କରିଥିବାବେଳେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।ଏପ୍ରିଲ ୯ ତାରିଖରେ ଜମ୍ମୁ-କାଶ୍ମୀରରେ ଲୋକସଭା ଉପନିର୍ବାଚନ ଚାଲିଥିବା ବେଳେ ଯୁବକଙ୍କୁ ଜିପ୍ ବର୍ଣ୍ଣେଟରେ ବାନ୍ଧିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ କାଶ୍ମୀରବାସୀଙ୍କ ପ୍ରତି ସେନାର ବ୍ୟବହାରକୁ ସମାଲୋଚନା କରିଥିଲେ ବିରୋଧୀ ଦଳ ।

ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଟ୍ୱିଟ କରି ଘଟଣାର ତୁରନ୍ତ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ । ଘଟଣାକୁ ନେଇ ତମ୍ବିତୋଫାନ ପରେ ତଦନ୍ତ କରିଥିଲା ଜାମ୍ମୁ-କାଶ୍ମୀର ପୋଲିସ । ତଦନ୍ତ ପରେ ଘଟଣା ପଛରେ ମେଜର ଲିଟୁଲ ଗୋଗୋଇଙ୍କ ହାତ ରହିଥିବା ଜଣାପଡିଥିଲା । ଜମ୍ମୁ କାଶ୍ମୀରରେ ଦେଖାଦେଉଥିବା ବିଦ୍ରୋହକୁ ସଫଳତାର ସହ ମୁକାବିଲା କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।