କେରଳରେ ବନ୍ୟାର ତାଣ୍ଡବ ଭିତରେ ଆସିଲା ନିଆରା ଚିତ୍ର। ଜୀବନକୁ ବାଜି ଲଗାଇ କାନ୍ଧରେ ବୋହି ବାଛୁରୀକୁ ଉଦ୍ଧାର କଲେ ଯୁବକ

ଫେସବୁକରେ ପ୍ରଶଂସା କରି ଫଟୋ ସେୟାର କଲେ ଭଦ୍ରକ ଜିଲ୍ଲାପାଳ

624

କନକ ବ୍ୟୁରୋ: ଦେଶରେ ଅଧା ରାଜ୍ୟ ଏବେ ବନ୍ୟା ପାଣିରେ ଉବୁଟୁବୁ । ଜଳପ୍ରଳୟରେ ଫଶି ରହିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କ ସହ ବହୁ ସଂଖ୍ୟାରେ ଗୃହପାଳିତ ପଶୁ । କେରଳରେ ବନ୍ୟାସ୍ଥିତି ସଂଗୀନ ହୋଇଛି । ନିଜ ନିଜର ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ବନ୍ୟା ଘେରରେ ଥିବା ଲୋକ । ଏହି ସମୟରେ ଯବାନମାନେ କିଭଳି ବନ୍ୟା ବିପନ୍ନଙ୍କ ପାଇଁ ବନ୍ଧୁ ସାଜିଛନ୍ତି ସେ ଖବର ଆମେ ପୂର୍ବରୁ ଆପଣଙ୍କ ନିକଟରେ ଉପସ୍ଥାପନ କରିସାରିଛୁ ।

ଆଉ ଏବେ ଦେଖାଉଛୁ କେରଳରୁ ଆସିଥିବା ଆଉ ଏକ ନିଆରା ଚିତ୍ର । ଯୁବକ ଜଣକ ନିଜ ଜୀବନକୁ ବାଜି ଲଗାଇ କିଭଳି ଗୋଟିଏ ବାଛୁରୀକୁ କାନ୍ଧରେ ବୋହି ବୋହି ଉଦ୍ଧାର କରୁଛନ୍ତି । ତେବେ ବିପଦ ସମୟରେ ଉଭୟ ମଣିଷ ଏବଂ ପଶୁଙ୍କ ପାଇଁ ବନ୍ଧୁ ସାଜିଥିବା ଯୁବକ ଜଣଙ୍କ ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି । ଗୋଟିଏ ନିରୀହ ପଶୁର ଜୀବନକୁ ବଂଚାଇ ପ୍ରଶଂସା ସାଉଁଟିଛନ୍ତି ଏହି ଯୁବକ । ଏହି ଚିତ୍ରକୁ ସେୟାର କରି ପ୍ରଶଂସା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ।

ଅନ୍ୟପଟେ, ବର୍ଷା ଯୋଗୁଁ ୯ ରାଜ୍ୟରେ ଜଳପ୍ରଳୟ । କେରଳରୁ କର୍ଣ୍ଣାଟକ, ଗୁଜରାଟରୁ ମହାରାଷ୍ଟ୍ର ସବୁଠି ପ୍ରକୃତି ରଚିଛି ତାଣ୍ଡବ । ମୁସଳଧାରା ବର୍ଷା କାରଣରୁ ଦକ୍ଷିଣ ଭାରତର କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ସ୍ଥିତି ସଂଗୀନ ହୋଇଛି । ସେହିପରି ପଶ୍ଚିମ ଭାରତର ମହାରାଷ୍ଟ୍ର ଓ ଗୁଜୁରାଟରେ ହାହାକାର ସୃଷ୍ଟି ହୋଇଛି । ଚଳିତ ଥର ପ୍ରଭାବିତ ରାଜ୍ୟରେ ବନ୍ୟା ମୃତ୍ୟୁ ସଂଖ୍ୟା ପ୍ରାୟ ୨ଶହ ଟପିଲାଣି । କେରଳରେ ସର୍ବାଧିକ ୭୨ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୮ ଲୋକ ନିଖୋଜ ରହିଛନ୍ତି । ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେରଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଏନାଡ ଓ କୋଝିକୋଡ ।

ୱାଏନାଡରେ ଏବେ ବି ଅନେକ ସ୍ଥାନରେ ଭୂସ୍ଖଳନ ଚିନ୍ତା ବଢାଇ ଦେଇଛି । କେରଳରେ ଉଦ୍ଧାର କାମରେ ସହାୟତା ପାଇଁ ଓଡିଶାରୁ ଯାଇଛି ୨ଟି ଅଗ୍ନିଶମ ବାହିନୀ । ଏହି ଟିମ୍ ବନ୍ୟା ପ୍ରଭାବିତ ୱାଏନାଡରେ କାମ କରୁଛି । କର୍ଣ୍ଣାଟକରେ ବନ୍ୟା ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ୧୧ଟି ଜିଲ୍ଲା ଜଳ ପ୍ରଳୟରେ ଫସି ରହିଛି । ସେହିପରି ମହାରାଷ୍ଟ୍ରର ୭ଶହରୁ ଉର୍ଦ୍ଧ ଗାଁ ଜଳାର୍ଣ୍ଣବ ହୋଇଛି । ବନ୍ୟା ଯୋଗୁଁ ୨ଶହ ରାସ୍ତା ଓ ୯୦ଟି ପୋଲ ଉପରେ ଯାତାୟତକୁ ବନ୍ଦ୍ ରଖାଯାଇଛି । ଉଦ୍ଧାର କାର୍ଯ୍ୟରେ ୧୦୫ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ଉତରାଖଣ୍ଡରେ ୨୬ ଓ ଗୁଜରାଟରେ ୨୪ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟରେ ସେନା ସହିତ ଏନଡିଆରଏଫ୍ ଟିମ ମୁତୟନ ହୋଇଛନ୍ତି । ଏମାନେ ଦେବଦୂତ ପରି ପହଁଚି ଜଳପ୍ରଳୟରେ ଫସି ଥିବା ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି । ଏହିସବୁ ରାଜ୍ୟରେ ବନ୍ୟା ଯୋଗୁଁ ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି ।