ଭାଲେଣ୍ଟାଇନ୍ ଡେ’ରେ ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର । ବିବାଦ ପରେ ନିଷ୍ପତି ବଦଳାଇଲା କେନ୍ଦ୍ର ପଶୁ ପାଳନ ବୋର୍ଡ

237

କନକ ବ୍ୟୁରୋ: ଭାଲେଣ୍ଟାଇନ ଡେକୁ ସାରା ବିଶ୍ୱ ପ୍ରେମ ଦିବସ ହିସାବରେ ପାଳନ କରିବା ପାଇଁ ଯାଉଥିବା ବେଳେ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାରା ଦେଶରେ ଏହାକୁ ନେଇ ବିବାଦ ଦେଖାଦେଇଛି । ବିବାଦ ଭିତରେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଛି ପଶୁ କଲ୍ୟାଣ ବୋର୍ଡ । ଏହି ନିର୍ଦ୍ଦେଶକୁ କାହିଁକି ପ୍ରତ୍ୟାହାର କରାଗଲା ତାକୁ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । କିନ୍ତୁ ଏହି ନିର୍ଦ୍ଦେଶ ସମର୍ଥନରେ ମତ ଦେଇଛନ୍ତି ଗୋ-ସେବକ । କହିଛନ୍ତି ଗାଈକୁ ଆଲିଙ୍ଗନ କଲେ ରୋଗ ଭଲ ହୁଏ । ଏହି ପ୍ରଣାଳୀରେ ମାନସିକ ଶାନ୍ତି ମିଳେ । ଶରୀର ସୁସ୍ଥ ରହିଥାଏ ।

  • ପ୍ରେମ ଦିବସରେ ଗାଈକୁ ଆଲିଙ୍ଗନ
  • ପ୍ରତ୍ୟାହାର କଲେ ପଶୁ କଲ୍ୟାଣ ବୋର୍ଡ

ଏହି ନିର୍ଦ୍ଦେଶ ଗତ ଫେବୃଆରୀ ୬ ତାରିଖରେ ଆସିବା ପରେ ଦେଶରେ ଦୁଇ ପ୍ରକାରର ମତ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସମର୍ଥକ କହିଛନ୍ତି ଗାଈ ଭାରତୀୟ ସଂସ୍କୃତିର ଆଧାର । ଗାଈକୁ ଆମେ ଗୋମାତା ବା କାମଧେନୁ ବୋଲି କହିଥାଉ । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଆମେ ଏହାକୁ ଭୁଲିଯାଇଛୁ । ଗାଈକୁ ଆଲିଙ୍ଗନ କଲେ ମନରେ ଅପାର ଆନନ୍ଦ ଆସିଥାଏ । ଅନ୍ୟପଟେ ଏହାକୁ ତୀବ୍ର ବିରୋଧ କରିଥିଲେ ବିରୋଧୀ । କହିଥିଲେ, ଦେଶ ସମ୍ବିଧାନକୁ ନେଇ ଚାଲେ, ଧର୍ମୀୟ ବିଚାରକୁ ନେଇ ଚାଲେନା । ସମସ୍ତ ପଶୁଙ୍କ ପାଇଁ ଏଭଳି ଦିବସ ହେବ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେହିଭଳି ବାମପନ୍ଥୀ ନେତା କହିଛନ୍ତି, ଯୁବପୀଢିକୁ ଭ୍ରମିତ କରିବାକୁ ଉଦ୍ୟମ ହେଉଛି । ଏହା ଏକ ଲଜ୍ଜାଜନକ କଥା ।

ଏହାକୁ ନେଇ ବିବାଦ ବଢୁଥିବାବେଳେ କିଛି ବୁଦ୍ଧିଜୀବୀ କହିଛନ୍ତି କୌଣସି କାର୍ଯ୍ୟ ଅନ୍ୟ ଗୋଟିଏ କାର୍ଯ୍ୟକୁ ବନ୍ଦ କରିବା ପାଇଁ କରିବା ନିନ୍ଦନୀୟ ଅଟେ ।