୨୪ ନିର୍ବାଚନ ପାଇଁ ବିଜେଡିର ରଣନୀତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିବା ପ୍ରସଙ୍ଗକୁ ନେଇ ଲୋକଙ୍କୁ ବାଣ୍ଟିବ ଲିଫଲେଟ୍

ଆସନ୍ତା ୧୫ ଓ ୧୬ରେ ସାରା ଓଡ଼ିଶାରେ ପ୍ରତିବାଦ

701

କନକ ବ୍ୟୁରୋ: ମାଗଣା ଚାଉଳକୁ ନେଇ ରାଜନୀତି ଜାରି ରହିଥିବା ବେଳେ ଚାଉଳକୁ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଗାଁ ଗାଁରେ କେନ୍ଦ୍ର ଅବହେଳାର ପ୍ରସଙ୍ଗ ପହଞ୍ଚାଇବା ପାଇଁ ଲିଫଲେଟ୍ ପ୍ରସ୍ତୁତ କରିଛି ଶାସକ ଦଳ, ଯେଉଁଥିରେ ଲେଖା ଅଛି ‘ଭୋକ ପାଇଁ ଭାତ ନାହିଁ, କୁହ କେନ୍ଦ୍ର ସରକାର’ ।

  • ବିଜେଡି କରିବ ‘ଚାଉଳ’ ରାଜନୀତି
  • ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ
  • ଜୋରଦାର ହେବ କେନ୍ଦ୍ର ଅବହେଳା ନାରା

ମାଗଣା ଚାଉଳକୁ ନେଇ ରାଜନୀତି ଭିତରେ ବିଜେଡି କିନ୍ତୁ ୩ କୋଟି ୨୫ ଲକ୍ଷ ଭୋଟରଙ୍କ ଉପରେ ନଜର ରଖି ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛି, ଯେମିତି ଭୋଟ୍ ବ୍ୟାଙ୍କ ପୂରା ସୁରକ୍ଷିତ ରହିବ । କେନ୍ଦ୍ର ସରକାର ମାଗଣା ଚାଉଳ ଘୋଷଣା କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ବିଜେଡି କିନ୍ତୁ କେନ୍ଦ୍ର ଅବହେଳା ଓ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିବା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତି କରୁଛି । ଗାଁ ଗାଁରେ ଲୋକଙ୍କ ପାଖରେ କେନ୍ଦ୍ର ଅବହେଳାର ଲିଫଲେଟ୍ ବାଣ୍ଟିବ ଦଳ । ବିଜେଡି ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ତୃଣମୂଳ ସ୍ତରକୁ ଯିବ ଦଳ ।

କେନ୍ଦ୍ର ଅବହେଳା ନାରା ଦେଇ ଆସନ୍ତା ୧୫ ଓ ୧୬ରେ ସାରା ଓଡ଼ିଶାରେ ପ୍ରତିବାଦ କରିବ ଦଳ । ‘ଭୋକ ପାଇଁ ଭାତ ନାହିଁ, କୁହ କେନ୍ଦ୍ର ସରକାର’ ନାରା ଦେବ ବିଜେଡି । ପଞ୍ଚାୟତରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ହଲ୍ଲାବୋଲ କରିବ । ମାସକୁ ୧୦ କେଜି ବଦଳରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ । ଯାହା ଗରିବଙ୍କ ଉପରେ ବୋଝ ବୋଲି କେନ୍ଦ୍ର ସରକାର ବିରୋଧରେ ନାରା ଦେବ ବିଜେଡି ।

  • ଚାଉଳକୁ ନେଇ ଭୋଟ୍ ରାଜନୀତି
  • ବିଜେପି କହିଲା, ଭୟଭୀତ ହୋଇ ପ୍ରତିବାଦ କରୁଛି ବିଜେଡି

ମୋଦୀ ସରକାର ମାଗଣା ଚାଉଳ ଘୋଷଣା କରିବା ପରେ ଭୟଭୀତ ହୋଇ ବିଜେଡି ଏପରି ରାଜନୀତି କରୁଥିବା ଅଭିଯୋଗ ଆଣିଛି ବିଜେପି । ପୂର୍ବରୁ ମୋଦୀ ଚାଉଳ ଦେଉଥିଲେ ବି ରାଜ୍ୟ ସରକାର ବାହାବା ନେଉଥିଲେ । ଏବେ କିନ୍ତୁ ରାଜ୍ୟ ସରକାର ଭୟଭୀତ ହୋଇ ପ୍ରତିବାଦ କରୁଛନ୍ତି ।

ଚାଉଳକୁ ନେଇ ଓଡ଼ିଶାରେ ବଡ଼ ଧରଣର ରାଜନୀତି ଦେଖିବା ପାଇଁ ମିଳେ । ପୂର୍ବରୁ ଏନଏଫଏସଏ ବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ଓଡ଼ିଶାର ୩ କୋଟି ୨୫ଲକ୍ଷ ଲୋକଙ୍କୁ ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଥିଲା । ଯେଉଁଥିରେ କେନ୍ଦ୍ର ସରକାର ୨୭ ଟଙ୍କା ଦେଉଥିଲା ବେଳେ ରାଜ୍ୟ ସରକାର ୨ ଟଙ୍କା ଦେଉଥିଲେ । କିନ୍ତୁ ଏବେ କେନ୍ଦ୍ର ସରକାର ଚାଉଳକୁ ସମ୍ପୂର୍ଣ୍ଣ ମାଗଣା ଘୋଷଣା କରିଛନ୍ତି । ଆଉ ସେପଟେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ବନ୍ଦ କରିଛନ୍ତି ।