ସାଂସଦ ପଦ ଫେରିପାଇବେ ରାହୁଲ? ସଂସଦରେ ଦେଖିବାକୁ ମିଳିବ ରାହୁଲଙ୍କ ଭାଷଣ? ଲଢ଼ିପାରିବେ ୨୦୨୪ ଲୋକସଭା ନିର୍ବାଚନ !

127

କନକ ବ୍ୟୁରୋ: ଗୁଜୁରାଟର ତଳ କୋର୍ଟ ଦେଇଥିବା ଦଣ୍ଡବିଧାନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ, ଏବେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ  । ରାହୁଲ ଗାନ୍ଧୀଙ୍କ ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ରାହୁଲ ଗାନ୍ଧୀଙ୍କ ସଭ୍ୟପଦକୁ ନେଇ ।

  • ସାଂସଦ ପଦ ଫେରିପାଇବେ ରାହୁଲ?
  • ସଂସଦରେ ଦେଖିବାକୁ ମିଳିବ ରାହୁଲଙ୍କ ଭାଷଣ?

ରାହୁଲଙ୍କ ଦଣ୍ଡବିଧାନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ, ପୁଣିଥରେ ରାହୁଲ ଗାନ୍ଧୀଙ୍କ ପାଇଁ ସଂସଦର ଦ୍ୱାର ଖୋଲିବାକୁ ଯାଉଛି । ସୁପ୍ରିମକୋର୍ଟ ରାୟରେ ରାହୁଲଙ୍କୁ ପ୍ରତିନିଧି ବାଛୁଥିବା ଜନତାଙ୍କ ଅଧିକାର କଥା କହିବା ପରେ, ତାଙ୍କ ସଭ୍ୟପଦ ଫେରି ପାଇବେ ବୋଲି କୁହାଯାଉଛି । ଆଉ ରାହୁଲ ଗାନ୍ଧୀ କେତେଶୀଘ୍ର ସଭ୍ୟପଦ ଫେରିପାଇବେ, ସଂସଦକୁ ଆସିବେ ସେଥିପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ସୁପ୍ରିମକୋର୍ଟଙ୍କ ରାୟ ପରେ ବାଚସ୍ପତି ତୁରନ୍ତ ରାହୁଲଙ୍କ ସଭ୍ୟପଦ ଫେରାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ।

ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ତଳ କୋର୍ଟ ଦଣ୍ଡବିଧାନ କରିବା ପରେ, ତାଙ୍କ ସଭ୍ୟପଦ ରଦ୍ଦ କରିଥିଲେ ବାଚସ୍ପତି  । ଏନେଇ ବାଚସ୍ପତିଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା । ତେବେ ଯେଉଁ ଦଣ୍ଡ ପାଇଁ ରାହୁଲଙ୍କ ସଭ୍ୟପଦ ଯାଇଥିଲା, ସେହି ଦଣ୍ଡ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ, ବାଚସ୍ପତିଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ବାଚସ୍ପତି ପୂର୍ବଭଳି ତୁରନ୍ତ ନିଷ୍ପତି ନେଉଛନ୍ତି ନା ଟାଳଟୁଳ ନୀତି ଦେଖାଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ତେବେ ବାଚସ୍ପତି ଟାଳଟୁଳ ନୀତି କଲେ, ରାହୁଲ ପୁଣି ଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ।

  • ରାହୁଲଙ୍କ ପାଇଁ ସଞ୍ଜିବନୀ 
  • ଲଢ଼ିପାରିବେ ଲୋକସଭା ନିର୍ବାଚନ 

ସୁପ୍ରିମକୋର୍ଟଙ୍କ ରାୟ ରାହୁଲଙ୍କ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି । ଏବେ ରାହୁଲ କେବଳ ତାଙ୍କର ସାଂସଦ ପଦ ଫେରି ପାଇବେ ତାହା ନୁହେଁ, ଆଗାମୀ ନିର୍ବାଚନ ଲଢ଼ିବାକୁ ତାଙ୍କ ପାଇଁ ବାଟ ଫିଟି ଯାଇଛି । ଅର୍ଥାତ ରାହୁଲ ବିନା ବାଧାରେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରିବେ । ଗୁଜରାଟ କୋର୍ଟଙ୍କ ଦଣ୍ଡବିଧାନ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିନଥିଲେ, ନିୟମ ଅନୁସାରେ ରାହୁଲ ଗାନ୍ଧୀ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରି ନଥାନ୍ତେ । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ରାହୁଲଙ୍କ ପାଇଁ ବାଟ ଫିଟାଇ ଦେଇଛି ।

ପୂର୍ବରୁ ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରି ଆସୁଥିବା ରାହୁଲ ଗାନ୍ଧୀ ଆଗାମୀ ଦିନରେ ଆହୁରି ଜୋରଦାର ଆକ୍ରମଣ କରିପାରନ୍ତି । ତେବେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରଧାନମନ୍ତ୍ରୀ ଚେହେରା ହେବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ବରଂ ଆଗକୁ ବିରୋଧୀଙ୍କୁ ଏକ କରିବାରେ ରାହୁଲ ସୂତ୍ରଧର ହେବେ ବୋଲି କହିଛନ୍ତି କଂଗ୍ରେସ ନେତା ।