ମୋଦୀ ସାଙ୍ଗିଆ ମାମଲାରେ ‘ସୁପ୍ରିମ’ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ପଢନ୍ତୁ, ମାମଲାକୁ ନେଇ କଣ କହିଲେ ସର୍ବୋଚ୍ଚ ଅଦାଲତ…

146

କନକ ବ୍ୟୁରୋ: ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଙ୍ଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନଜନକ ବୋଲି ଖଣ୍ଡପୀଠ କହିଥିଲେ ବି ସର୍ବାଧିକ ଦଣ୍ଡବିଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଉ ରାହୁଲଙ୍କ ସପକ୍ଷରେ ରାୟ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି କଂଗ୍ରେସ । ଏହା ସତ୍ୟ ଓ ଗଣତନ୍ତ୍ରର ବିଜୟ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଖୁସି ମନାଇଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଖୁସିରେ ବିଭୋର ହୋଇଛନ୍ତି ନେତା ଓ କର୍ମୀ । ସତେ ଯେମିତି କେନ୍ଦ୍ରର ମୋଦୀ ସରକାର ବିରୋଧରେ ବଡ ବିଜୟ ଲାଭ କରିଛି କଂଗ୍ରେସ । ଆଉ ମିଠା ବାଣ୍ଟି ଉତ୍ସବ ମନାଇଛନ୍ତି ଦଳୀୟ ନେତା ଓ କର୍ମୀ ।

  • ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମ ରାୟ
  • ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ

ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ତଳ କୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ରାହୁଲ କରିଥିବା ଆବେଦନର ଶୁଣାଣି କରି ତିନି ଜଣିଆ ଖଣ୍ଡପୀଠ ଏହି ରୋକ୍ ଲଗାଇଛନ୍ତି । ବିଚାରପତି ବି.ଆର. ଗଭାଇ, ପି.ଏସ୍.ନରସିହ୍ମା ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି….

  • ଆବେଦନକାରୀ( ରାହୁଲ ଗାନ୍ଧୀ) ଦେଇଥିବା ମନ୍ତବ୍ୟ ନିଶ୍ଚିତ ଭାବରେ ଅପମାନ ଜନକ । ତେଣୁ ଆବେଦନକାରୀ ଭାଷଣଦେବାବେଳେ ଯତ୍ନବାନ ହେବାର ଆବଶ୍ୟକତା ରହିଛି
  • ତଳ କୋର୍ଟ ରାହୁଲଙ୍କୁ ସେକ୍ସନ ୪୯୯ ଧାରାରେ ସର୍ବାଧିକ ଦଣ୍ଡାଦେଶ କରିଛନ୍ତି । ଗୋଟିଏ ଦିନ କମ୍ ଦଣ୍ଡ ଦେଇଥିଲେ ସଭ୍ୟପଦ ଯାଇନଥାନ୍ତା
  • କିନ୍ତୁ ତଳକୋର୍ଟ ସର୍ବାଧିକ ଦଣ୍ଡାଦେଶ ପଛର କୌଣସି କାରଣ ଦର୍ଶାଇ ନାହାନ୍ତି
  • ରାହୁଲଙ୍କ ସାର୍ବଜନୀନ ଜୀବନର ଅଧିକାର ପ୍ରଭାବିତ ହେବ
  • ରାହୁଲଙ୍କୁ ପ୍ରତିନିଧି ବାଛୁଥିବା ଜନତାଙ୍କ ଅଧିକାର ବି ପ୍ରଭାବିତ ହେବ
  • ରାହୁଲଙ୍କ ଆବେଦନର ଚୂଡାନ୍ତ ରାୟ ନ ଆସିବା ଯାଏଁ ଦଣ୍ଡାଦେଶ ଉପରେ ରହିତାଦେଶ ଜରୁରୀ

ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ ଏହାକୁ ସତ୍ୟର ବିଜୟ ବୋଲି କହିଛି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହା ଭାରତର ସାଧାରଣ ଲୋକଙ୍କ ବିଜୟ, ଗଣତନ୍ତ୍ରର ବିଜୟ ।

୨୦୧୯ରେ କର୍ଣ୍ଣାଟକର ଏକ ନିର୍ବାଚନୀ ପ୍ରଚାରରେ ରାହୁଲ ଗାନ୍ଧୀ ନୀରବ ମୋଦୀ, ଲଳିତ ମୋଦୀଙ୍କ ଉଦାହରଣ ଦେଇ ସବୁ ମୋଦୀ ସାଙ୍ଗିଆଧାରୀମାନେ ଚୋର କାହିଁକି ବୋଲି ପ୍ରଶ୍ନ କରିଥିଲେ । ରାହୁଲଙ୍କ ଏଭଳି ଟିପଣୀ ବିରୋଧରେ ଗୁଜୁରାଟରେ ମାମଲା ରୁଜୁ କରିଥିଲେ ପୂର୍ଣ୍ଣେଶ ମୋଦୀ । ଆଉ ସେହି ମାମଲାର ଶୁଣାଣି କରି କୋର୍ଟ ରାହୁଲଙ୍କୁ ୨ବର୍ଷ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ଯାଇଥିଲା । ଆଉ ତାପରେ ରାହୁଲ ତଳକୋର୍ଟର ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।