ଚୀନକୁ ପୁଣି ଡରିଲା ହୁ! ନୂଆ ଭାରିଆଂଟ ନାଁ କାହିଁକି ରହିଲା ଓମିକ୍ରନ୍?

1,248

କନକ ବ୍ୟୁରୋ: କରୋନା ନୂଆ ଭାରିଆଂଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ବଢିଛି ଭୟ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଂଟ ଅଧିକ ସଂକ୍ରାମକ ହୋଇଥିବାବେଳେ, ବେଶ ଘାତକ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଏହାରି ଭିତରେ ହୁ ଏହାର ନାମ କାହିଁକି ଓମିକ୍ରନ ରଖିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।କୁହାଯାଉଛି, ଚୀନ୍ ଭୟରେ ଏହି ନୂଆ ଭାରିଆଂଟ ନାଁ ଓମିକ୍ରନ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଗ୍ରୀକ୍ ଆଲଫାବେଟ୍ ଅନୁସାରେ ଏହି ନୂଆ ଭାରିଆଂଟ ନାଁ ଏକ୍ସଆଇ (xi) କିମ୍ବା ନ୍ୟୁ (new) ରହିଥାନ୍ତା । ହେଲେ ଚୀନ ଭୟରେ ନୂଆ ଭାରିଆଂଟ ନାଁ ଏକ୍ସଆଇ (xi) ନରଖି…ଓମିକ୍ରନ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଚୀନରେ ଏବେ ଚାଲିଛି କମ୍ୟୁନିଷ୍ଟ ଶାସନ । ଆଉ ଚୀନର ରାଷ୍ଟ୍ରପତି ଅଛନ୍ତି ସି ଜିନପିଙ୍ଗ । ଜିନପିଙ୍ଗଙ୍କ ନାଁ ସେହି ଏକ୍ସ ଆଇ ଲେଟରରୁ ଆରମ୍ଭ ହେଉଥିବା ବେଳେ । ନୂଆ ଭାରିଆଂଟ ନାଁ ମଧ୍ୟ ଏକ୍ସ-ଆଇ ରଖିଲେ, ଏହାକୁ ନେଇ ବିବାଦ ଦେଖା ଦେଇଥାନ୍ତା । କାଳେ ଚୀନ୍ ଏହାକୁ ନେଇ ଅଭିଯୋଗ କରିବ …ସେହି ଭୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆ ଭାରିଆଂଟ ନାଁ ଏକ୍ସ-ଆଇ ନରଖି ଓମିକ୍ରନ ରଖିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ନୂଆ ଭାରିଆଂଟ ନାଁ କାହିଁକି ଓମିକ୍ରନ ରଖିଲା ସେ ନେଇ ସଫେଇ ରଖିଛି । ନୂଆ ଭାରିଆଂଟ ନାଁ ଗ୍ରୀକ୍ ଆଲଫାବେଟ୍ ଅନୁସାରେ ନ୍ୟୁ ରଖିଥିଲେ… ଲୋକମାନେ ଏହାକୁ ଗୋଟିଏ ନୂଆ ଭାଇରସ ବୋଲି ଭାବିଥାନ୍ତେ । ସେହିପରି ଏକ୍ସ-ଆଇ ଅକ୍ଷରରେ ବିଶ୍ୱରେ ଅନେକ ଲୋକ ରହୁଥିବାରୁ ଏହି ନାଁକୁ ମଧ୍ୟ ବାଦ୍ ଦେଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ତେଣୁ ଗ୍ରୀକ୍ ଆଲଫାବେଟ୍ ଅନୁସାରେ ନୂଆ ଭାରିଆଂଟ ନାଁ ଓମିକ୍ରନ ରଖିଛି ବୋଲି ସଫେଇ ରଖିଛି ହୁ  ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଉ ଚୀନ୍ ଭିତରେ ଏହି ଭିତିରି ବୁଝାମଣା କଥା କିଛି ନୁଆ ନୁହେଁ । ଭୟ ହେଉ କି ଆଉ କିଛି… ସବୁବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚୀନ ପ୍ରତି କୋହଳ ମନୋଭାବ ଦେଖାଇ ଆସିଛି । ଯେତେବେଳେ ମହାମାରୀ କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ଉତ୍ପତି ଲାଭ କରିଛି ବୋଲି ରିପୋର୍ଟ ଆଉ ଦାବି ପ୍ରକାଶ ପାଇଥିଲା । ସେତେବେଳେ ଚୀନକୁ ଯାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ସ୍ପେଶାଲ ଟିମ୍ ।

ଭୂତାଣୁ କେଉଁଠୁ ବ୍ୟାପିଲା, କେମିତି ସୃଷ୍ଟି ହେଲା ସେନେଇ ଜାଣିବାକୁ ଚେଷ୍ଟା କରିଥିଲା ଏହି ଟିମ୍ । ହେଲେ ଉହାନର ଯେଉଁଁ ମାର୍କେଟରୁ ଭୂତାଣୁ ବ୍ୟାପିଥିଲା ସେହି ମାର୍କେଟକୁ ଯିବାକୁ ଅନୁମତି ଦେଇନଥିଲା ଚୀନ । ଯାହାକୁ ନେଇ ଆପତି କଣ ପ୍ରଶ୍ନଟିଏ ବି ଉଠାଇନଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଖାଲି ସେତିକି ନୁହେଁ, ଆମେରିକାର ଗୁଇନ୍ଦା ସଂସ୍ଥ୍ୟା ଚୀନରୁ କରୋନା ବ୍ୟାପିଛି ବୋଲି ଅନେକ ଥର କହିସାରିଲାଣି । ହେଲେ ଏହାକୁ ନେଇ କୌଣସି ବି ଆଖିଦୃଶିଆ ଆକ୍ସନ ନେଇନି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଆଉ ଏବେ ଓମିକ୍ରନ ନାଁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ପୁଣି ..ହୁ ଆଉ ଚୀନ ଭିତରେ ଥିବା ଭିତିରି ସମ୍ପର୍କ ଓ ବୁଝାମଣାକୁ ପଦାକୁ ଆଣିଛି ।