କାହିଁକି ଭୁବନେଶ୍ୱରରେ କମୁଛି ମତଦାନ ହାର? ପ୍ରଶ୍ନ ଗୋଟିଏ, ଉତ୍ତର ଅନେକ ।

170

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଭୋଟିଂ ହାର ପୂର୍ବ ନିର୍ବାଚନ ତୁଳନାରେ କମ୍ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷିତ ଲୋକ ରହୁଥିବା ସହରରେ କାହିଁକି ଭୋଟ ହାର ଏତେ କମ୍ ହେଉଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ହେଲେ, ଏହାରି ଭିତରେ ସାମନାକୁ ଆସିଛି, ତ୍ରୁଟିପୂର୍ଣ୍ଣ ଭୋଟ ତାଲିକା ଯୋଗୁଁ ଲୋକମାନେ କେମିତି ଭୋଟ ଦେଇ ନପାରି ବାଧ୍ୟ ହୋଇ ଘରକୁ ଫେରିଥିଲେ । ଏପରିକି ସ୍ୱାମୀ ନାଁ ଗୋଟିଏ ୱାର୍ଡରେ ଥିବାବେଳେ ସ୍ତ୍ରୀ ନାଁ ଆଉ ଗୋଟିଏ ୱାର୍ଡରେ ରହିଥିଲା । ଏଭଳି ତ୍ରୁଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭୋଟ ଦେବାରୁ ବଂଚିତ ହୋଇଥିବା ଭୋଟର ।

ଭୋଟ ଦେବାକୁ ଯାଇଥିଲେ, ହେଲେ ଭୋଟର ଲିଷ୍ଟରେ ନାଁ ନଥିଲା । ନାଁ ଖୋଜି ଖୋଜି ବିରକ୍ତ ହେବା ପରେ ବାଧ୍ୟ ହୋଇ ଘରକୁ ଫେରିଥିଲେ କିଛି ଭୋଟର । ଭୋଟର ଲିଷ୍ଟରୁ ନାଁ କଟି ଯାଇଥିବାରୁ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । କିଛି ସ୍ଥାନରେ ଗୋଟିଏ ପରିବାରର ସଦସ୍ୟଙ୍କ ନାଁ ଭିନ୍ନ ଭିନ୍ନ ୱାର୍ଡରେ ରହିଥିବା ଅଭିଯୋଗ ହୋଇଥିଲା । ଅର୍ଥାତ ସ୍ୱାମୀର ନାଁ ଗୋଟିଏ ୱାର୍ଡରେ ରହିଥିବା ବେଳେ ସ୍ତ୍ରୀର ନାଁ ଆଉ ଏକ ୱାର୍ଡରେ ରହିଥିଲା ।

ସ୍ମାର୍ଟ ସହରର ସ୍ମାର୍ଟ ଭୋଟର କାହିଁକି ଭୋଟ ଦେବା ପାଇଁ ଆଗ୍ରହ ଦେଖାଉନାହାନ୍ତି, ପୁଣି ଥରେ ଏହା ବିତର୍କର ବିଷୟ ହୋଇଛି । କିଛି ସମୀକ୍ଷକଙ୍କ କହିବା କଥା, ଯେଉଁଭଳି ଏବେ ନିର୍ବାଚନ ହେଉଛି, ଏଥିରେ ଶିକ୍ଷିତ ଭୋଟର ସନ୍ତୁଷ୍ଟ ନାହାନ୍ତି । ଏପଟେ ଭୋଟର ଲିଷ୍ଟରେ ବ୍ୟାପକ ବିଭ୍ରାଟ ମଧ୍ୟ ମତଦାନ ହାର କମିବାର ଅନ୍ୟତମ କାରଣ ବୋଲି କୁହାଯାଉଛି ।

ମତଦାନ କମିବାର କିଛି କାରଣ
ଲମ୍ବାଲାଇନରେ ଛିଡ଼ା ହେବା ପରେ ବିରକ୍ତ ହୋଇ ଫେରିଗଲେ କିଛି ଭୋଟର
ଭୋଟର ତାଲିକାରେ ବ୍ୟାପକ ବିଭ୍ରାଟ
ଭୋଟର ଲିଷ୍ଟରୁ ମିଳିନଥିଲା କିଛି ଭୋଟରଙ୍କ ନାଁ
ପୂର୍ବରୁ ଯେଉଁ ୱାର୍ଡରେ ନାଁ ଥିଲା, ଏଥର ତାଲିକାରେ ମିଳିନଥିଲା
ଗୋଟିଏ ପରିବାରର ସଦସ୍ୟ, ହେଲେ ଭିନ୍ନ ଭିନ୍ନ ୱାର୍ଡରେ ନାଁ

ତେବେ ଏହିସବୁ ଅଭିଯୋଗକୁ ଏଡାଇ ଯାଇଛନ୍ତି ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ । ସେ କହିଛନ୍ତି, ଭୋଟର ଲିଷ୍ଟ ନେଇ ସ୍ୱତନ୍ତ୍ର ଆପ୍ଲିକେସନ୍ ଡେଭେଲପ କରାଯାଇଥିଲା । ତା’ର ସୁବିଧା ନେଇନଥିଲେ ଭୋଟର । ଭୁବନେଶ୍ୱରରେ ୭ ଲକ୍ଷ ୨୫ ହଜାର ଭୋଟରଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ମାତ୍ର ୩ ଲକ୍ଷ ୧୪ ହଜାର । ଅର୍ଥାତ୍ ରାଜଧାନୀର ମତଦାନ ହାର ୪୩.୩ ପ୍ରତିଶତ ରହିଛି । ରାଜନୀତିର ଟିକିନିଖି ଖବର ରଖୁଥିବା ଏବଂ ପ୍ରତ୍ୟେକ ପ୍ରସଙ୍ଗରେ ମତାମତ ରଖୁଥିବା ସହରୀ ଭୋଟର କେବଳ ଆଲୋଚନା-ସମାଲୋଚନାରେ ନିଜକୁ ସୀମିତ ରଖିବେ, ନା ପ୍ରକୃତରେ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବରେ ସାମିଲ ହୋଇ ଜନ ପ୍ରତିନିଧି ବାଛିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ, ଏହା ଏବେ ବଡ଼ ପ୍ରଶ୍ନ ।