ସଂସଦରେ କାନ୍ଦି ପକାଇଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି: କହିଲେ ସାଧାରଣ ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ ପଶ୍ଚିମବଙ୍ଗ

147

କନକ ବ୍ୟୁରୋ: ପଶ୍ଚିମବଙ୍ଗ, ବୀରଭୂମ ହିଂସାକାଣ୍ଡ ମାମଲାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଘଟଣାକୁ ନେଇ ଜାତୀୟ ସ୍ତରରେ ରାଜନୈତିକ ବୟାନବାଜି କରାଯାଉଛି । ଶୁକ୍ରବାର ସଂସଦରେ ବୀରଭୂମ ହିଂସାକାଣ୍ଡ କଥା କହି କାନ୍ଦି ପକାଇଛନ୍ତି ବିଜେପି ସାଂସଦ ରୂପା ଗାଙ୍ଗୁଲି । ନିଜ ବକ୍ତବ୍ୟରେ ସେ କହିଛନ୍ତି ପଶ୍ଚିମବଙ୍ଗରେ ସୁରକ୍ଷିତ ରହିବା ଆଉ ସମ୍ଭବ ନୁହେଁ । ଶୁକ୍ରବାର ସଂସଦରେ କାନ୍ଦି ପକାଇଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି । ବୀରଭୂମ ହତ୍ୟାକାଣ୍ଡ ଘଟଣାକୁ ନେଇ ନିଜ ମନ୍ତବ୍ୟ ରଖିବାବେଳେ ଭାବ ବିହ୍ୱଳ ହୋଇପଡିଛନ୍ତି ରୂପା ଗାଙ୍ଗୁଲି । ସେ କହିଛନ୍ତି ରାଜ୍ୟରେ ଲୋକେ ସୁରକ୍ଷିତ ନାହାଁନ୍ତି । ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଉଛି । ଏଭଳି ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନର ଦାବି କରିଛନ୍ତି ବିଜେପି ସାଂସଦ ।

ବୀରଭୂମ ଘଟଣାକୁ ନେଇ ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି । ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ବିରୁଦ୍ଦରେ ପ୍ରଦର୍ଶନ କରିଛି ବିଜେପି । ଲୋକଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ଘଟଣା ମଧ୍ୟଯୁଗଠୁ ମଧ୍ୟ ବଳିଗଲା ବୋଲି ବିଜେପି କହିଛି । ସେପଟେ ଦୋଷି ବିରୁଦ୍ଧରେ କଡ କାର୍ଯାନୁଷ୍ଠାନ ଦାବି କରିଛି କଂଗ୍ରେସ ।

ସେପଟେ ବୀରଭୂମ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ । ଏସଆଇଟି କରୁଥିବା ତଦନ୍ତକୁ ସିବିଆଇ କୁ ହସ୍ତାନ୍ତର କରିବାକୁ କହିଛନ୍ତି କୋର୍ଟ । ସେହିପରି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ସମେତ ହତ୍ୟାକାଣ୍ଡ ସର୍ମ୍ପକିତ ସମସ୍ତ କାଗଜପତ୍ର ମଧ୍ୟ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସିବିଆଇ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି ।

ସୋମବାର ବୀରଭୂମରେ ୧୦ ଜଣଙ୍କୁ ଅମାନବୀୟ ନିର୍ଜାତନା ଦେବା ପରେ କୋଠରି ବନ୍ଦ କରି ନିଆଁ ଲଗାଇଦେଇଥିଲେ ଟିଏମସି ସମର୍ଥକ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨୦ ଜଣଙ୍କୁ ପୁଲିସ ଗିରଫ କରିଛି । ଶୁକ୍ରବାର ମାମାଲା ସିବିଆଇ କୁ ହସ୍ତାନ୍ତର କରାଯାଇଛି ।