କାହିଁକି ପାଣ୍ଡ୍ୟାଙ୍କୁ ରିଟେନ କରିନଥିଲା ମୁମ୍ବାଇ ଇଣ୍ଡିଆନ୍ସ? ମହାନିଲାମୀ ପୂର୍ବରୁ ମୁହଁ ଖୋଲିଲେ ଜାହିର ଖାନ୍?

236

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଆଇପିଏଲର ମହାନିଲାମୀ ହେବାକୁ ଯାଉଛି । ଚଳିତ ମହାନିଲାମୀରେ ଅନେକ ବଡ ଚେହେରା ସାମିଲ ହେବେ । କାରଣ ନିୟମ ଅନୁଯାୟୀ ନିଜ ମନ ପସନ୍ଦର ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ଗୁଡିକ ରିଟେନ କରିଥିବା ବେଳେ ଅନ୍ୟ ଖେଳାଳୀଙ୍କୁ ରିଲିଜ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଲିଜ କରିଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ କାହିଁକି ରିଲିଜ କରିଥିଲା ତାହାର କାରଣ ଏବେ ସାମ୍ନାକୁ ଆସିଛି ।

ମୁମ୍ବାଇ ଇଣ୍ଡିଆନ୍ସର ଥିଙ୍କ ଟ୍ୟାଙ୍କ ଜାହିର ଖାନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦଳ କାହିଁକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ କରିନଥିଲା । ଜାହିର ଖାନଙ୍କ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ଏବେ ନିଜର ଫିଟନେସ ଉପରେ ଲଗାତାର କାମ କରି ଆସୁଛନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ରିଟେନ ନିଷ୍ପତ୍ତି ନେବା ଏତେ ସହଜ ନୁହେଁ । କାରଣ ରିଟେସନ ପ୍ରକ୍ରିୟାରେ ଅନେକ ଦିଗ ଉପରେ ଧ୍ୟାନ ଦେବାକୁ ପଡିଥାଏ । କାରଣ ଖେଳାଳୀଙ୍କୁ ରିଟେନ କରିବା ପୂର୍ବରୁ ଅନେକ ବିଚାର ବିମର୍ଷ କରିବାକୁ ପଡିଥାଏ । ଦୀର୍ଘ ସମୟ ଧରି ଆଲୋଚନା ଚାଲିଥାଏ । ଏଭଳିସ୍ଥଳେ ନିଜ ଦଳର ଷ୍ଟାର ଖେଳାଳୀଙ୍କୁ ରିଲିଜ କରିବା ଓ ରିଟେନ କରିବା ନିଷ୍ପତ୍ତି ଫ୍ରାଞ୍ଚାଇଜ ପାଇଁ ଏତେ ସହଜ ହୋଇନଥାଏ ।

ଚଳିତଥର ମୁମ୍ବାଇ ଇଣ୍ଡିଆନ୍ସ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ବୁମରାହ, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡଙ୍କୁ ଦଳ ରିଟେନ ରଖିଛି । ସେହିଭଳି ଦୁଇ ଷ୍ଟାର ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଷାନଙ୍କୁ ଦଳ ରିଲିଜ କରିଛି ।

ହାର୍ଦ୍ଦିକ ପାଣ୍ଡ୍ୟା ଯେବେଠାରୁ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ସେବେଠାରୁ ତାଙ୍କର ପ୍ରଦର୍ଶନ ଯଥେଷ୍ଟ ପ୍ରଭାବିତ ହୋଇଛି । ଗତ ଆଇପିଏଲ ଓ ଟି-୨୦ ବିଶ୍ୱକପରେ ଏହା ସ୍ପଷ୍ଟ ବାରି ହୋଇ ପଡିଥିଲା । କାରଣ ଆଇପିଏଲ ଓ ଟି-୨୦ରେ ହାର୍ଦ୍ଦିକ ବ୍ୟାଟରୁ ସେଭଳି ବିସ୍ଫୋରକ ଇନିଂସ ଦେଖିବାକୁ ମିଳିନଥିଲା । ଯେଉଁଥିପାଇଁ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ଏହାପରେ ପାଣ୍ଡ୍ୟା ନିଜର ଫିଟନେସ ଉପରେ କାମ କରିଥିଲେ । ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ନିଜକୁ ଉପଲବ୍ଧ କରାଇନଥିଲେ ପାଣ୍ଡ୍ୟା ।