କାହିଁକି କର୍ଣ୍ଣାଟକରେ ହାରିଲା ବିଜେପି ? ହାତରୁ ଖସିଗଲା ଦକ୍ଷିଣ ଭାରତର ପ୍ରବେଶ ଦ୍ୱାର । କେଉଁଠି ରହିଲା ଭୁଲ୍, କ’ଣ ପଡ଼ିଲା ମହଙ୍ଗା?

933

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ବହୁ ହେଭିୱେଟଙ୍କ ପ୍ରଚାର ସତ୍ତ୍ୱେ କର୍ଣ୍ଣାଟକରେ ବିଜେପି କାହିଁକି ହାରିଲା? ହାରିବା ପଛର କାରଣ କଣ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

  • କର୍ଣ୍ଣାଟକରେ କାହିଁକି ହାରିଲା ବିଜେପି?
  • ଯେଉଁଠି ରହିଲା ଭୁଲ୍, କ’ଣ ପଡ଼ିଲା ମହଙ୍ଗା?

ଭାରତୀୟ ଜନତା ପାର୍ଟି ପାଇଁ ଦକ୍ଷିଣ ଭାରତରେ ପ୍ରବେଶ ଦ୍ୱାର ଥିବା କର୍ଣ୍ଣାଟକ, ଏବେ ବିଜେପି ହାତରୁ ଖସି ଯାଇଛି । ବହୁମତ ସହ କ୍ଷମତାକୁ ଫେରିଛି କଂଗ୍ରେସ । ଭାରତୀୟ ଜନତା ପାର୍ଟିର ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘନଘନ ପ୍ରଚାର ସତ୍ତ୍ୱେ କର୍ଣ୍ଣାଟକରେ ବିଜେପିକୁ ମିଳିଛି ପରାଜୟ । ପରାଜୟର କାରଣ ଖୋଜା ଭିତରେ ୫ଟି ପ୍ରମୁଖ ଦିଗକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କାରଣ ନମ୍ବର-୧:  ଦୁର୍ନୀତି

ଦୁର୍ନୀତି ପ୍ରସଙ୍ଗକୁ ଅତି ଶାଣିତ ଢ଼ଙ୍ଗରେ ଲୋକଙ୍କ ପାଖରେ ଉପସ୍ଥାପନ କରିପାରିଛି କଂଗ୍ରେସ । ପ୍ରଚାର ସମୟରେ ୪୦ ପ୍ରତିଶତ ସରକାର ଏବଂ ପେ-ସିଏମ୍ ଭଳି କ୍ୟାମ୍ପେନ୍ ଚଳାଇଥିଲା ଦଳ । ଦୁର୍ନୀତିରେ ଛନ୍ଦି ହୋଇଥିବା ବିଜେପି ବିଧାୟକଙ୍କୁୁ ସାମ୍ନାକୁ ଆଣି, ରାଜ୍ୟ ସରକାରଙ୍କୁ ଦୁର୍ନୀତିକୁ ପ୍ରଶୟ ଦେଉଛି ବୋଲି ନିର୍ବାଚନୀରେ ପ୍ରଚାର କରିଥିଲା କଂଗ୍ରେସ । ଯାହା ଭୋଟର ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

କାରଣ ନମ୍ବର-୨: ସରକାର ବିରୋଧୀ ହାୱା
କର୍ଣ୍ଣାଟକର ଭୋଟର ସ୍ୱାଭାବିକ ଭାବେ ପ୍ରତି ଥର ସରକାର ପରିବର୍ତନରେ ବିଶ୍ୱାସ କରନ୍ତି । ୧୯୮୫ ମସିହା ପରଠାରୁ ସରକାରରେ ଥିବା ଦଳକୁ କ୍ରମାଗତ ଭାବେ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି କର୍ଣ୍ଣାଟକ ଭୋଟର । ଏହି କ୍ରମରେ ବୋମ୍ମାଇ ସରକାରଙ୍କୁ ମଧ୍ୟ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡ଼ିଥାଇପାରେ ।

କାରଣ ନମ୍ବର-୩: ସଂରକ୍ଷଣ ଏବଂ ଧ୍ରୁବିକରଣ

ଓବିସି ବର୍ଗର ଟୁ-ବି କ୍ୟାଟେଗୋରୀରେ ୪% ମୁସଲିମଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଥିଲା । ଯାହାକୁ ବୋମ୍ମାଇ ସରକାର ଉଠାଇ ଦେବାକୁ ପଦକ୍ଷେପ ନେଇଥିଲେ । ଯାହା ମୁସଲିମ୍ ସଂପ୍ରଦାୟଙ୍କୁ ଅସନ୍ତୁଷ୍ଟ କରିଥାଇପାରେ । ଅନ୍ୟପକ୍ଷରେ ଲିଙ୍ଗାୟତ ସଂପ୍ରଦାୟ ଏବଂ ଏସ୍ସି ବର୍ଗଙ୍କୁ ସଂରକ୍ଷଣର ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଏସବୁ ବାହାରେ ବିଜେପି ବଜରଙ୍ଗବଳୀ ନାରା ଦେଇ ବିଭାଜନର ରାଜନୀତି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଯାହାର ପ୍ରଭାବ ଭୋଟ୍ ରାଜନୀତି ଉପରେ ପଡ଼ିଛି ।

କାରଣ ନମ୍ବର-୪: ଦରଦାମ ବୃଦ୍ଧି

ଦରଦାମ ବୃଦ୍ଧି, ରୋଷେଇ ଗ୍ୟାସ ଦରବୃଦ୍ଧି ଏବଂ ବେରୋଜଗାରୀ ପ୍ରସଙ୍ଗକୁ ବହୁତ ଜୋରରେ ଉତଥାପନ କରିଥିଲେ ବିରୋଧୀ କଂଗ୍ରେସ ଓ ଜେଡିଏସ୍ । ସେହିପରି କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ନେଇ କର୍ଣ୍ଣାଟକର ଶିକ୍ଷିତ ଭୋଟର, କ୍ଷୁବ୍ଧ ଥିବା କୁହାଯାଉଛି । ଯାହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡ଼ିଛି ।

କାରଣ ନମ୍ବର-୫: ତୁଙ୍ଗ ନେତାଙ୍କ ଦଳବଦଳ

ଟିକେଟ ବଣ୍ଟାକୁ ନେଇ ବିଜେପିରେ ବଡ଼ ଧରଣର ମତଭେଦ ଦେଖାଯାଇଥିଲା । ଦଳର ତୁ୍ଙ୍ଗ ନେତାକୁ ଦଳ ଟିକେଟ ଦେବାକୁ ଖୋଲାଖୋଲି ମନା କରିଦେଇଥିଲା । ଯାହା ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭାଦୀ ଦଳ ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଯାହା ଦଳୀୟ କର୍ମୀ ଓ ପୁରୁଣା ନେତାଙ୍କୁ ପ୍ରଭାବିତ କରିଥିଲା ।

ଏହି ସବୁ କାରଣ ଯୋଗୁଁ ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକରେ ପରାଜିତ ହୋଇଥିବା କୁହାଯାଉଛି । ଆଉ ଏହି ପରାଜୟ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ସାମଗ୍ରିକ ଭାବେ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି ।