କର୍ଣ୍ଣାଟକରେ ଉଠିଲା ହାତ, ଝାଉଁଳିଲା ପଦ୍ମ । କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ।

360

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ପୂରା ଦଳ ଭିତରେ ଭରି ଦେଇଛି ସଞ୍ଜିବନୀ । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡିଛନ୍ତି ଦଳୀୟ ନେତାଠାରୁ କର୍ମୀ । ନୂଆ ଉତ୍ସାହ ଓ ଉଦ୍ଦୀପନା ଭରି ଯାଇଛି କଂଗ୍ରେସ ଶିବିରରେ । ଏହି ବିପୁଳ ବିଜୟ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ଘୃଣାର ବଜାର ବନ୍ଦ ହେଲା, ଖୋଲିଲା ଭଲ ପାଇବାର ଦୋକାନ ।’

କର୍ଣ୍ଣାଟକରେ କଂଗ୍ରେସର ପଲ୍ଲା ଭାରି ଥିବା ସମସ୍ତଙ୍କୁ ଜଣାଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହାଙ୍କ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରେ ଜୋର ଲଗାଇ ଦେଇଥିଲେ । ବଡ଼ ବଡ଼ ରାଲି, ବିଶାଳ ଶୋଭାଯାତ୍ରା କରି ଜନମତକୁ ବଦଳାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲା ବିଜେପି । କିନ୍ତୁ କର୍ଣ୍ଣାଟକବାସୀ ସରକାର ବଦଳାଇବା ପାଇଁ ମନ ସ୍ଥିର କରି ସାରିଥିଲେ ।

ଏକଜିଟ୍ ପୋଲ ମଧ୍ୟ କଂଗ୍ରେସର ବିଜୟ ନେଇ ସଙ୍କେତ ଦେଇଥିଲା । କିନ୍ତୁ ଦଳ ଯେ ପାଖାପାଖି ଦୁଇ-ତୃତୀୟାଂଶ ଆସନରେ ବିଜୟୀ ହେବ, ତାହା ଅନେକ ଆକଳନ କରି ପାରିନଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବ୍ୟକ୍ତିତ୍ୱ ଏବଂ କର୍ଣ୍ଣାଟକ ପିସିସି ସଭାପତି ଡି.କେ ଶିବକୁମାରଙ୍କ ଗୋଟି ଚାଳନା ଆଗରେ ବହୁ ପଛରେ ପଡିଗଲା ବିଜେପି । ତେବେ ବିଜେପିର ବଡ଼ ପରାଜୟ ପରେ, ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।କେବଳ ଅଧିକ ସିଟ୍ ପାଇନି କଂଗ୍ରେସ । ଭୋଟ ପ୍ରତିଶତ ମଧ୍ୟ ବଢ଼ିଯାଇଛି । ଦୁଇ ଦଶନ୍ଧୀ ପରେ ପ୍ରଥମ ଥର ପାଇଁ ୪୩ ପ୍ରତିଶତରୁ ଅଧିକ ଭୋଟ ପାଇଛି ଦଳ । ଗତ ନିର୍ବାଚନ ଠାରୁ ବିଜେପିର ଭୋଟ ପ୍ରତିଶତ କମିଯାଇଛି । ସବୁଠୁ ବଡ଼ କ୍ଷତି ଘଟିଛି ଜେଡିଏସର । ୫ ପ୍ରତିଶତ ଭୋଟ ହରାଇଛି ଏଚଡି କୁମାରସ୍ୱାମୀଙ୍କ ଦଳ ।