କର୍ଣ୍ଣାଟକ ବିଜୟ ପରେ ଭାବବିହ୍ୱଳ ହେଲେ ଡି.କେ ଶିବକୁମାର । ଅଦିନିଆ ହୋଲି ପାଳିଲେ କଂଗ୍ରେସ କର୍ମୀ ।

651

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ, ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ. ଶିବକୁମାର ଭାବବିହ୍ୱଳ ହୋଇଛନ୍ତି । ଦିଲ୍ଳୀରୁ ବେଙ୍ଗାଲୁର ପର୍ଯ୍ୟନ୍ତ କଂଗ୍ରେସ ନେତା ଓ କର୍ମୀ ଅଦିନିଆ ହୋଲି, ପାଳନ କରିଛନ୍ତି ।

ତେବେ କର୍ଣ୍ଣାଟକରେ ଯେତେବେଳେ ପ୍ରତି ରାଉଣ୍ଡରେ କଂଗ୍ରେସ ବଢ଼ି ଚାଲିଥିଲା, ସେତେବେଳେ ଛାତ ଉପରକୁ ଆସି ଦଳୀୟ ପତାକା ଉଡାଇଥିଲେ ପ୍ରଦେଶ ଅଧ୍ୟକ୍ଷ ଡି.କେ. ଶିବକୁମାର । ଆଉ କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଶିବକୁମାର, ଦଳୀୟ ପତାକା ଉଡାଇବା ପରେ, ତାଙ୍କ ଦଳ ବିଜୟୀ ହେବାର ସଙ୍କେତ ମିଳିଯାଇଥିଲା । ଯାହା ଦଳୀୟ କର୍ମୀ ଓ ନେତାଙ୍କ ଭିତରେ ଜୋସ୍ ଭରି ଦେଇଥିଲା । ତା ପରେ କଂଗ୍ରେସ ଶିବିରରେ ଆରମ୍ଭ ହୋଇଯାଇଥିଲା ବିଜୟ ଉତ୍ସବ ।

ବହୁ ସଂଘର୍ଷ ପରେ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହେବା ସ୍ପଷ୍ଟ ହୋଇଯାଇଥିଲା, ସେତେବେଳେ ନିଜର କୋହକୁ ସମ୍ଭାଳି ପାରିନଥିଲେ ଶିବକୁମାର । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ତେବେ କଂଗ୍ରେସକୁ ବହୁମତ ମିଳିବା ସ୍ପଷ୍ଟ ହୋଇଯିବା ପରେ, ପ୍ରଚାର ସମୟରେ ଶିବକୁମାର ଯେମିତି ଲୋକଙ୍କ ପାଖକୁ ଯାଉଥିଲେ, ସେମିତି ଶୋଭାଯାତ୍ରାରେ ବାହାରିଥିଲେ ।

କର୍ଣ୍ଣାଟକରେ କଂଗ୍ରେସ ବିଜୟ ଖବର ଟୁଇଟରରେ ଟ୍ରେଣ୍ଡ କରୁଛି । ବିଜୟ ପାଇଁ ରାହୁଲ ଗାନ୍ଦୀଙ୍କ ଭାରତ ଯୋଡୋ ଯାତ୍ରାକୁ ଶ୍ରେୟ ଦେଉଛନ୍ତି ଟୁଇଟର ବ୍ୟବହାରକାରୀ । ସେହିପରି ଦକ୍ଷିଣରୁ ବିଜେପି ବିଦା ହୋଇଗଲା ବୋଲି ଆଉ ଏକ ଟୁଇଟ୍ ଟ୍ରେଣ୍ଡ କରୁଛି ।