ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇର ମଙ୍ଗ ଧରିବ କିଏ? ଧୋନୀଙ୍କ ଖେଳିବା ନେଇ ଏବେ ବି ସସପେନ୍ସ !

199

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଦମଦାର ଫର୍ମରେ ରହିଛି ଚେନ୍ନାଇ ସୁପର କିଙ୍ଗସ । ଅଭିଜ୍ଞ ଓ ଯୁବ ଖେଳାଳୀଙ୍କୁ ନେଇ ଦଳ ବେଶ ପ୍ରଭାବୀ ପ୍ରଦର୍ଶନ କରୁଛି । ୫ ମ୍ୟାଚରୁ ୩ଟି ମ୍ୟାଚରେ ବିଜୟୀ ହୋଇ ଚେନ୍ନାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଏପରିକି ଚଳିତ ଆଇପିଏଲରେ ସର୍ବାଧିକ ଦଳଗତ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଚେନ୍ନାଇକୁ ବଡ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । କାରଣ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆଣ୍ଠୁରେ ଆଘାତ କାରଣରୁ ପଡିଆକୁ ନ ଓହ୍ଲାଇ ପାରନ୍ତି କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ । ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ଟିମ୍ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଧୋନୀଙ୍କୁ ବିଶ୍ରାମ ଦିଆଗଲେ କିଏ ଦଳର ମଙ୍ଗ ସମ୍ଭାଳିବ ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ।

ଆହତ ଜନିତ ସମସ୍ୟା ଚେନ୍ନାଇ ପାଇଁ ଚିନ୍ତା ବଢାଇଛି । ପୂର୍ବରୁ ବେନ୍ ଷ୍ଟୋକ୍ସ ଓ ଦୀପକ ଚହରଙ୍କ ଭଳି ଷ୍ଟାର ଖେଳାଳୀ ଆହତ ହୋଇଛନ୍ତି । ତେବେ ବେନ୍ ଷ୍ଟୋକ୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫିଟ୍ ଘୋଷିତ ହୋଇଛନ୍ତି । ଆହତ କାରଣରୁ ବେନ୍ ଷ୍ଟୋକ୍ସ ଗତ ୩ଟି ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳିବା ପରେ ଆଜି ତାଙ୍କୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିପାରେ । ଯଦି ଧୋନୀଙ୍କୁ ବିଶ୍ରାମ ଦିଆଯାଏ ତେବେ ଅଧିନାୟକ ଦାୟିତ୍ୱ ବେନ୍ ଷ୍ଟୋକ୍ସଙ୍କୁ ମିଳିପାରେ । ପୂର୍ବରୁ ଅଧିନାୟକ ଭାବେ ବେନ୍ ଷ୍ଟୋକ୍ସର ଅନୁଭୂତି ରହିଛି ।

ସେହିଭଳି ଧୋନୀଙ୍କୁ ଅନୁପସ୍ଥିତିରେ ଚେନ୍ନାଇର ଓପନର ବ୍ୟାଟର କନୱେଙ୍କୁ ୱିକେଟକିପର ଭୂମିକାରେ ଦେଖିବାକୁ ମିଳିପାରେ । ଚଳିତ ସିଜିନରେ କନୱେ ଦମଦାର ଫର୍ମରେ ରହିଛନ୍ତି । କନୱେ ଓ ଋତୁରାଜ ଓପନିଂ ଯୋଡି ପ୍ରଥମ ୱିକେଟରେ ଚେନ୍ନାଇ ପାଇଁ ଦୃଢ ମୂଳଦୁଆ ପକାଇ ଆସୁଛନ୍ତି । ସେହିଭଳି ରାହାଣେଙ୍କ ନିର୍ଭୟ ବ୍ୟାଟିଂ ଅନ୍ଦାଜ ଅନେକଙ୍କୁ ପସନ୍ଦ ଆସିଛି । ଶିଭମ ଦୁବେ କିଛି ମ୍ୟାଚରେ ଦଳ ପାଇଁ ସଙ୍କଟମୋଚକ ସାଜିଥିବା ବେଳେ ରବୀନ୍ଦ୍ର ଜାଡେଜା ଦମଦାର ଫର୍ମରେ ରହିଛନ୍ତି । ଏଭଳିସ୍ଥଳେ ଯଦି ଷ୍ଟୋକ୍ସଙ୍କୁ ଅଧିନାୟକ ଦାୟିତ୍ୱ ଦିଆନଯାଏ ତେବେ ଏହି ରେସରେ ରାହାଣେ, ଜାଡେଜା ଓ ଋତୁରାଜଙ୍କ ନାଁ ସାମ୍ନାକୁ ଆସିପାରେ । ଜାଡେଜା ଗତ ସିଜିନରେ କିଛି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସେହିଭଳି ରାହାଣେଙ୍କର ମଧ୍ୟ ଆଇପିଏଲରେ ଅଧିନାୟକ ଅନୁଭୂତି ରହିଛି ।