କ’ଣ ହେବ ସଙ୍କଟରେ ଥିବା କଂଗ୍ରେସର ଭବିଷ୍ୟତ ? ପରାଜୟ ପରେ ସଂଗଠନରେ ଥମୁନି ଝଡ, ‘ଅଧ୍ୟକ୍ଷ’ ପଦକୁ ନେଇ ଜାରି ରହିଛି ସସପେନ୍ସ ।

184

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ କଂଗ୍ରେସର ପରାଜୟ ପରେ ସଙ୍କଟରେ ପଡିଛି ଦଳ । ଲୋକସଭା ନିର୍ବାଚନର ଫଳାଫଳ ଦୋହଲାଇ ଦେଇଛି କଂଗ୍ରେସର ସ୍ଥିତି । ଏପରିକି ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ‘ଅଧ୍ୟକ୍ଷ’ ପଦ ଛାଡିବା ନେଇ ଜିଦରେ ଅଡି ବସିଛନ୍ତି । ଏପରିକି ଦଳର ଜଣେ ବରିଷ୍ଠ ନେତା ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଯେ, ରାହୁଲ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବାର ୧ ପ୍ରତିଶତ ମଧ୍ୟ ସମ୍ଭାବନା ନାହିଁ । ଆଉ ଏଭଳି ସ୍ଥିତିରେ କ’ଣ ହେବ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ଭବିଷ୍ୟତ, ସେନେଇ ଉଠିଛି ପ୍ରଶ୍ନ ।

ନିର୍ବାଚନରେ ବିପର୍ଯ୍ୟୟ ପରେ ଭୁଶୁଡିବାରେ ଲାଗିଛି କଂଗ୍ରେସ ସଂଗଠନ । ଗୋଟିଏ ପଟେ ଅଧ୍ୟକ୍ଷ ପଦରେ ରହିବାକୁ ଅରାଜି ରାହୁଲ ଗାନ୍ଧି । ଅନ୍ୟପଟେ ଏକାଧିକ ନେତା ବିଭିନ୍ନ ପଦପଦବୀ ଛାଡୁଛନ୍ତି । ନୂଆ କରି ଟିମ୍ ଗଠନ କରିବାକୁ ରାହୁଲଙ୍କୁ ସ୍ୱାଧୀନତା ଦେବା ପାଇଁ ସେମାନେ ଏଭଳି କରିଥିବା କହୁଛନ୍ତି । ପ୍ରଥମେ ଦଳର ଲ ଓ ଆରଟିଆଇ ସେଲ ଅଧ୍ୟକ୍ଷ ବିବେକ ତନଖା ନିଜ ପଦରୁ ଇସ୍ତଫା ଦେବାପରେ ଏହି ତାଲିକା ଲମ୍ବିବାରେ ଲାଗିଛି । କୁହାଯାଉଛି, ରାହୁଲଙ୍କୁ ମନାଇବାରେ ବିଫଳ ହୋଇଛନ୍ତି ଅନେକ ବରିଷ୍ଠ ନେତା ।

ସବୁଠାରୁ ବଡ କଥା ହେଉଛି, ନୂଆ ଅଧ୍ୟକ୍ଷ ଚୟନ କରିବା ପାଇଁ କଂଗ୍ରେସକୁ ୧ ମାସର ସମୟ ଦେଇଥିଲେ ରାହୁଲ ଗାନ୍ଧି, ଯାହାକି କିଛି ଦିନ ପରେ ଶେଷ ହେବାକୁ ଯାଉଛି । କଂଗ୍ରେସର ଅନେକ ନେତା ଭାବିଥିଲେ, ୧ ମାସ ମଧ୍ୟରେ ରାହୁଲଙ୍କୁ ମନାଇବାରେ ସେମାନେ ସମର୍ଥ ହେବେ, କିନ୍ତୁ ତାହା ହେଲାନାହିଁ । ‘ଅବୁଝା’ ରାହୁଲଙ୍କୁ ବୁଝାଇବାରେ ଫେଲ୍ ମାରିଲେ ଦଳର ଅନେକ ବରିଷ୍ଠ ନେତା । ଅନ୍ୟପଟେ ବରିଷ୍ଠ ନେତାଙ୍କ ଉପରେ ନାରାଜ ଥିବା ରାହୁଲ ଗାନ୍ଧି କହିଛନ୍ତି, ସେ ଆଉ ଅଧ୍ୟକ୍ଷ ପଦରେ ରହିବେ ନାହିଁ । କିନ୍ତୁ ଦଳ ସେ ସର୍ବଦା ଯୋଡି ହୋଇ ରହିବେ ଏବଂ ସଂଗଠନକୁ ମଜଭୁତ୍ କରିବା ପାଇଁ ଆଞ୍ଚଳିକ ସ୍ତରରେ ଦଳ ପାଇଁ କାମ ମଧ୍ୟ କରିବେ । ତେବେ ଅଧ୍ୟକ୍ଷ ପଦକୁ ନେଇ ଏବେ କଂଗ୍ରେସ ସାମ୍ନାରେ ସବୁଠାରୁ ବଡ ସମସ୍ୟା ସୃଷ୍ଟି ହୋଇଛି ।

କୁହାଯାଉଛି, ଅଧ୍ୟକ୍ଷ ପଦ ଛାଡିବା ପରେ ସଂଗଠନକୁ ମଜଭୁତ କରିବା କାମରେ ଲାଗିବେ ରାହୁଲ । ଆଉ ଏହାର ଆରମ୍ଭ ପଦଯାତ୍ରାରୁ ହେବ, ଯାହାକି ସପ୍ତାହ କିମ୍ବା ମାସେ ପର୍ଯ୍ୟନ୍ତ ଚାଲିପାରେ । ଆଉ ଏହାରି ଭିତରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କିଏ ହେବ କଂଗ୍ରେସର ଆଗାମୀ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦକୁ ନେଇ ବର୍ତ୍ତମାନ ସମୟରେ ବଡ ବିତର୍କ ଲାଗି ରହିଛି । ନୂଆ ଅଧ୍ୟକ୍ଷ ଚୟନ ବେଳେ ଦଳ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବ ନା କୌଣସି ଯୁବ ନେତାଙ୍କୁ ଏହି ଆସନରେ ବସାଇବ । ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ୧୯ ନିର୍ବାଚନରେ ବଡ ପରାଜୟ ପରେ ଦଳକୁ ଏବେ ଅଭିଜ୍ଞ ନେତାଙ୍କ ଆବଶ୍ୟକତା ରହିଛି । ଅନ୍ୟପଟେ ଯୁବ ନେତାଙ୍କ ହାତରେ ଏହି ଦାୟିତ୍ୱ ଦିଆଯାଇ ତାଙ୍କୁ ବରିଷ୍ଠ ନେତାଙ୍କ ନେତୃତ୍ୱରେ ମଧ୍ୟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯିବାର ସମ୍ଭାବନା ରହିଛି । ତେବେ କିଏ ହେଉଛନ୍ତି କଂଗ୍ରେସର ନୂଆ ଅଧ୍ୟକ୍ଷ ଆଉ କ’ଣ ହେବ କଂଗ୍ରେସର ଭବିଷ୍ୟତ, ସେନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।