ଗଞ୍ଜାମ ନନ୍ଦଗାଁରେ ଜଳକଷ୍ଟ : ପିଇବା ପାଣି ଟୋପେ ପାଇଁ ନଳକୂପ ପାଖରେ ଲାଗୁଛି ଲମ୍ବା ଲାଇନ୍

45

କନକ ବ୍ୟୁରୋ : ଗ୍ରାମାଂଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଅନେକ ଗାଁରେ ଏବେ ବି ଲୋକେ ସେସବୁ ସୁବିଧାରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ପ୍ରକଳ୍ପ ନିର୍ମାଣ ହୋଇ ଉଦଘାଟନ ହେବା ପରେ ବି ଅଚଳ ହୋଇ ପଡିରହିଛି । ଏପରି ସ୍ଥିତିରେ ବର୍ଷ ତମାମ୍ ଜଳକଷ୍ଟ ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ନନ୍ଦଗାଁର ଲୋକେ । ଯେଉଁଥି ପାଇଁ ହାଣ୍ଡି ମାଠିଆ ଧରି ଗୋଟିଏ ମାତ୍ର ନଳକୂପ ପାଖରେ ଲାଇନ୍ ଲଗାଇବାକୁ ପଡୁଛି ଗାଁର ମହିଳା ମାନଙ୍କୁ ।

ପ୍ରାୟ ୬୦ ପରିବାର ରହୁଥିବା ନନ୍ଦଗାଁରେ ରହିଛି ପାନୀୟ ଜଳ ଭଳି ମୌଳିକ ସମସ୍ୟା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଗାଁରେ ରହିଛି । ୨୦୧୪ ଜାନୁଆରୀ ୩୦ ତାରିଖରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏହି ପ୍ରକଳ୍ପ । ହେଲେ ସମସ୍ୟା ହେଉଛି ଉଦଘାଟନର ମାତ୍ର କିଛି ଦିନ ପରେ ପ୍ରକଳ୍ପଟି ବନ୍ଦ ହୋଇଯାଇଥିଲା । ପାଇପ୍ ଯୋଗେ ଘର ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପୂରା ଠପ୍ ହୋଇପଡିଛି ।

ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ଓ ପୋଖରୀ ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି ଗ୍ରାମବାସୀ । ସକାଳୁ ସଞ୍ଜ ଯାଏଁ ନଳକୂପ ପାଖରେ ହାଣ୍ଡି ମାଠିଆ ଧରି ମହିଳାମାନେ ଧାଡି ବାନ୍ଧିଥିବା ଦେଖିବାକୁ ମିଳେ । ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଥିବାରୁ ବେଳେ ବେଳେ ପରସ୍ପର ମଧ୍ୟରେ ଝଗଡା ମଧ୍ୟ ହୋଇଥାଏ । ପୋକଜୋକ ବାହାରୁ ଥିବାରୁ ପାଣିକୁ ଛାଣିକରି ମଧ୍ୟ ନେଇଥାନ୍ତି ଗାଁ ଲୋକେ । ସେଥିରେ ପୁଣି ଖରାଦିନେ ପାଣି ବାହାରୁ ନଥିବାରୁ ପୋଖରୀ ଉପରେ ନିର୍ଭର କରିବାକୁ ପଡିଥାଏ ।

ପିଇବା ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଗାଁ ଲୋକଙ୍କ ଭିତରେ ବୃଦ୍ଧି ପାଉଛି ଅସନ୍ତୋଷ । ସେପଟେ ଗଣମାଧ୍ୟମରୁ ପ୍ରଥମ କରି ଏହି ଅଭିଯୋଗ ଶୁଣିଲେ ବୋଲି କହିଛନ୍ତି ଦିଗପହଣ୍ଡି ବ୍ଲକକୁ ନୂଆକରି ଆସିଥିବା ବିଡିଓ । ଆଉ ଏ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ନନ୍ଦଗାଁର ପାନୀୟ ଜଳ ପ୍ରକଳ୍ପ ଅଚଳାବସ୍ଥା ଦେଇ ଗତି କରୁଥିବା ବେଳେ ରାଜ୍ୟ ରାଜକୋଷରୁ ଅର୍ଥ ପାଣିରେ ପଡିବା ସଦୃଶ ହୋଇଛି ।