ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା : ହୁଣ୍ଡିରେ ପାଣି ପଶି ନଷ୍ଟ ହେଲା ଭକ୍ତଙ୍କ ଦାନ ଅର୍ଥ

42

କନକ ବ୍ୟୁରୋ : ପାଣିରେ ପଡିଲା ଭକ୍ତଙ୍କ ଦାନ ଦେଇଥିବା ଲକ୍ଷ ଲକ୍ଷ ଟଙ୍କା । କାକଟପୁରର ମା’ ମଙ୍ଗଳାଙ୍କ ହୁଣ୍ଡିରେ ଗତକାଲି ଖୋଲିଥିବା ଦ୍ୱିତୀୟ ହୁଣ୍ଡିରୁ ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ଏହାକୁ ଗଣିବା ମଧ୍ୟ ସମ୍ଭବ ହୋଇନାହିଁ । ହୁଣ୍ଡିରେ କଣା ଦେଇ ପାଣି ପଶି ଭକ୍ତଙ୍କ ଦାନ ଟଙ୍କା ନଷ୍ଟ ହେବା ପରେ ଓଦା ଟଙ୍କାକୁ ଟ୍ରଷ୍ଟ ବୋର୍ଡ ଅଫିସରେ ଲାଇଟ୍ ଦେଇ ଶୁଖାଯାଉଛି । ବ୍ୟାଙ୍କ ଏହି ନଷ୍ଟ ନୋଟ ନେବାକୁ ଅସମର୍ଥ ପ୍ରକାଶ କରିବା ପରେ ସମସ୍ୟାରେ ପଡିଛି ପ୍ରଶାସନ ।

ଭିଜି ଯାଇଛି ହଜାର ହଜାର ନୋଟ୍ । ଓଦା ହୋଇ ଲାଗିଯାଇଥିବା ନୋଟକୁ ଛଡାଇବା ବେଳେ ଚିରି ଯାଉଛି । କେଉଁ ନୋଟ୍ କେତେ ଟଙ୍କା ତାହା ବି ଚିହ୍ନି ହେଉନି । ଏହା ସେତେବେଳେ ଜଣାପଡିଲା, ଯେତେବେଳେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଦ୍ୱିତୀୟ ହୁଣ୍ଡିକୁ ଖୋଲା ଯାଇଥିଲା । ହେଲେ ହୁଣ୍ଡିର ଅବସ୍ଥା ଦେଖି ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ଟଙ୍କା ଗଣିବା ପାଇଁ ଉପସ୍ଥିତ ଅନ୍ୟ ସମସ୍ତଙ୍କ ମୁଣ୍ଡ ଘୂରି ଯାଇଥିଲା । କାରଣ ହଜାର ହଜାର ନୋଟ୍ ପାଣିରେ ଓଦା ହୋଇଯାଇଥିଲା । ନଷ୍ଟ ହୋଇଥିବା ଏହି ନୋଟ୍ ସବୁର ମୂଲ୍ୟ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ହୋଇଥିବା ବେଳେ ଦାନ ଅର୍ଥ ନଷ୍ଟ ହେବାରୁ ଭକ୍ତଙ୍କ ମନରେ ପହଂଚିଛି ଗଭୀର ଆଘାତ ।

ହୁଣ୍ଡି ତଳେ ଏକ କଣା ବାଟେ ପାଣି ପଶି ନୋଟ୍ ସବୁ ଓଦା ହୋଇଥିବା କୁହାଯାଉଛି । ତେବେ ଏପରି ଅଘଟଣ ପାଇଁ ଭକ୍ତଙ୍କ ଦାନ ଅର୍ଥ ନଷ୍ଟ ହୋଇଥିବାରୁ ପ୍ରଶାସନ ତଥା ଦେବୋତ୍ତର ବିଭାଗକୁ ଦାୟୀ କରିଛନ୍ତି ସେବାୟତ ।

୨୦୧୬ରୁ ଖୋଲାଯାଇ ନଥିଲା ମା’ ମଙ୍ଗଳାଙ୍କ ହୁଣ୍ଡି । ହେଲେ ଭକ୍ତଙ୍କ ବହୁ ଅସନ୍ତୋଷ, ଦାବି, ପ୍ରତିବାଦ ପରେ ଦାନ ହୁଣ୍ଡି ଖୋଲାଯାଇଥିଲା । ହେଲେ ଓଦା ନୋଟ୍ ସବୁ ନେବାକୁ ବ୍ୟାଙ୍କ ନେବାକୁ ମନା କରିବା ପରେ ଚିନ୍ତାରେ ପଡିଛନ୍ତି ଟ୍ରଷ୍ଟ ବୋର୍ଡ ସଦସ୍ୟ । ନିଜ ମୁଣ୍ଡ ଉପରୁ ଦୋଷ ଖସାଇବାରେ ବ୍ୟସ୍ତ ଅଛନ୍ତି ପ୍ରଶାସନ ଓ ଦେବୋତର ବିଭାଗ ।