ଟି-୨୦ ବିଶ୍ୱକପରେ କିଏ ପାଇବ ଜାଗା? ଦଳ ଘୋଷଣା ପାଇଁ ଆଉ ୧୫ ଦିନ ବାକି । ଚର୍ଚ୍ଚାରେ ରହିଛନ୍ତି ଏହି ସବୁ ଖେଳାଳି?

535

କନକ ବ୍ୟୁରୋ: ଏସିଆ କପର ସୁପର-୪ରେ ଟିମ୍ ଇଣ୍ଡିଆ ନିଜ ସ୍ଥାନ ପକ୍କା କରିସାରିଛି । ହେଲେ ରୋହିତ ବାହିନୀର ମୁଖ୍ୟ ଲକ୍ଷ୍ୟ କିନ୍ତୁ ରହିଛି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏଥର ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହେଇନାହିଁ । ସେପ୍ଟେମ୍ବର ୧୫ ସୁଦ୍ଧା ଟିମ୍ ଘୋଷଣା ହେବାକୁ ଥିବାବେଳେ, ଏଥିପାଇଁ ଆଉ ମାତ୍ର ଦୁଇ ସପ୍ତାହ ବାକି ରହିଛି । ତେଣୁ ବିଶ୍ୱକପ୍ ଦଳରେ କେଉଁ କେଉଁ ଖେଳାଳି ସ୍ଥାନ ପାଇବେ ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ।

ସେପ୍ଟେମ୍ବର ୧୫ ତାରିଖ ପୂର୍ବରୁ ବିଶ୍ୱକପରେ ଭାଗ ନେବାକୁ ଥିବା ସମସ୍ତ ଟିମ ନିଜର ଖେଳାଳି ଘୋଷଣା କରିବେ ବୋଲି ପୂର୍ବରୁ ଆଇସିସି ଘୋଷଣା କରିସାରିଛି । ଏପରିକି ଅଷ୍ଟ୍ରେଲିଆ ଦଳ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିସାରିଲାଣି । ତେଣୁ ଏପରି ସ୍ଥିତିରେ ରୋହିତ ବାହିନୀରେ କେଉଁ କେଉଁ ଖେଳାଳି ବିଶ୍ୱକପ୍ ପାଇଁ ଟିକେଟ୍ ହାସଲ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କର ନଜର ।

ଘୋଷଣା ହେବାକୁ ଥିବା ୧୫ ଜଣିଆ ଦଳରେ ରୋହିତ ଶର୍ମା ଅଧିନାୟକ ଓ କେ ଏଲ ରାହୁଲ ଉପ ଅଧିନାୟକ ରହିବା ଏକପ୍ରକାରର ପକ୍କା । ତାଙ୍କ ସହିତ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ରହିବେ । ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ରିଷଭ ପନ୍ତ, ଦିନେଶ କାର୍ତ୍ତିକ ଦଳରେ ରହିବା ମଧ୍ୟ ପକ୍କା । ସେପଟେ ଅଲରାଉଣ୍ଡର ଭାବେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ବିଶ୍ୱକପ୍ ଦଳରେ ରହିବା ନିଶ୍ଚିତ ଜଣାପଡୁଛି । ତେଣୁ ଏହିସବୁ ଖେଳାଳି ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ନିଶ୍ଚିତ ବୋଲି ଜଣାପଡୁଛି ।

ଖାଲି ସେତିକି ନୁହେଁ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ଯୁଜବେନ୍ଦ୍ର ଚହଲ, ଦୀପକ ହୁଡା ଏବଂ ହର୍ଷଲ ପଟେଲ ବିଶ୍ୱକପ୍ ଦଳରେ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ କେଉଁ ଚୂଡାନ୍ତ ୧୫ ଜଣିଆ ଦଳ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହେଇଛି । ଏହିସବୁ ଖେଳାଳିଙ୍କ ସହିତ ଚୟନକର୍ତ୍ତାମାନେ ଶ୍ରେୟାସ ଆୟାର, ଆଭେସ ଖାନ୍, ଉମରାନ୍ ମଲ୍ଲିକ, ଦୀପକ ଚହର, ରବି ବିଷ୍ନୋଇ, ଇଶାନ କିଷାନଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଏହି ଲିଷ୍ଟରେ ସାମିଲ କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ମାସରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ଯାହାକି ନଭେମ୍ବର ୧୩ ତାରିଖ ଯାଏଁ ଖେଳାଯିବ । ଏଥର ବିଶ୍ୱକପ ଟ୍ରଫି ପାଇଁ ୧୬ ଟିମ ଲଢେଇ କରିବେ । ଅଷ୍ଟ୍ରେଲିଆର ୭ଟି ଅଲଗା ଅଲଗା ସହରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ଟିମ୍ ଇଣ୍ଡିଆ ଏଥର ଗ୍ରୁପ-୨ରେ ସ୍ଥାନ ପାଇଛି । ଯେଉଁଥିରେ ପାକିସ୍ତାନ, ବାଂଲାଦେଶ ଆଉ ଦକ୍ଷିଣ ଆଫ୍ରିକା ମଧ୍ୟ ଅଛନ୍ତି ।