ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର । ପଡିଆ ମଝିରେ କଥା କଟାକଟି । ଆକ୍ସନ ନେଲା ମ୍ୟାନେଜମେଣ୍ଟ, କଟିଲା ମ୍ୟାଚ୍ ଫି’

766

କନକ ବ୍ୟୁରୋ: ଆଇପିଏଲ୍ ପଡିଆ ମଝିରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତର ଦୁଇ ଭେଟେରାନ୍ କ୍ରିକେଟ୍ ଖେଳାଳି ବିରାଟ କୋହଲି ଆଉ ଗୌତମ ଗମ୍ଭୀର । ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ କଥା କଟାକଟି ହେବା ସହିତ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଭାରତୀୟ ଖେଳାଳି ।

ସୋମବାର ପଡିଆରେ ନିଜ ପ୍ରତିଦ୍ୱନ୍ଦୀ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ ଦେଇଥିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଲୋ ସ୍କୋରିଂ ଏହି ମ୍ୟାଚରେ ଆରସିବି ଜଲୱା ଦେଖାଇବା ସହିତ ଲକ୍ଷ୍ନୌକୁ ହରାଇ ଦେଇଥିଲା । ହେଲେ ଏହି ମ୍ୟାଚ୍ ଶେଷ ହେବା ପରେ, ଯାହା ଦେଖିବାକୁ ମିଳିଥିଲା । ତା ବୋଧହୁଏ, ଆଇପିଏଲରେ ଖୁବ୍ କମ୍ ଦେଖିବାକୁ ମିଳେ । ମ୍ୟାଚ୍ ପରେ ବାଙ୍ଗାଲୋରର ଖେଳାଳି ଥିବା ବିରାଟ କୋହଲି ଆଉ ଲକ୍ଷ୍ନୌର ମେଣ୍ଟର ଥିବା ଗୌତମ ଗମ୍ଭୀର ମୁହାଁମୁହିଁ ହୋଇଯାଇଥିଲେ । ଯାହାକି ଦୁଇଜଣଙ୍କ ଭିତରେ ସବୁକିଛି ଠିକ୍ ନଥିବାର ପ୍ରମାଣ ଦେଇଥିଲା ।

ଅସଲ କଥା ହେଉଛି, ସୋମବାର ମ୍ୟାଚ୍ ପରେ, ବାଙ୍ଗାଲୋର ଆଉ ଲକ୍ଷ୍ନୌର ସବୁ ଖେଳାଳି ହାତ ମିଳାଉଥିଲେ । କ୍ରିକେଟ୍ ମ୍ୟାଚରେ ଖେଳ ଶେଷ ହେବା ପରେ ହାତ ମିଳାଇ ପଡିଆରୁ ରିଟର୍ଣ୍ଣ କରିବାର ଏକପ୍ରକାର ପରମ୍ପରା ରହିଛି । ହେଲେ ଏହି ସମୟରେ ହିଁ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । ଆଫଗାନୀ ଖେଳାଳି ନବୀନ-ଉଲ-ହକଙ୍କ ସହ ହାତ ମିଳାଇବା ସମୟରେ କୋହଲି କିଛି କହୁଥିବା ଦେଖିବାକୁ ମିଳିଥିଲା । ଆଉ ଏଇଠୁ ହିଁ ଆରମ୍ଭ ହେଇଥିଲା କଥା କଟାକଟି ।

ପଡିଆରେ ନବୀନ ଉଲ ହକ୍ ଆଉ କୋହଲିଙ୍କ ଭିତରେ କଥା କଟାକଟି ହେବା ପରେ । ଲକ୍ଷ୍ନୌର ମେଣ୍ଟର ଗୌତମ ଗମ୍ଭୀର ଆଉ କୋହଲିଙ୍କ ଭିତରେ ବି ସେମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା । ସିନିୟର୍ ଖେଳାଳିମାନେ ଯେତେ ବୁଝାଇଲେ ବି, କୋହଲି ଆଉ ଗମ୍ଭୀର ବୁଝିବାକୁ ନାରାଜ୍ ଥିଲେ । ଆଉ ଉଭୟଙ୍କ ରାଗରେ ଉଭୟଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା ।

ଆଇପିଏଲ୍ ମ୍ୟାନେଜମେଣ୍ଟ ଗମ୍ଭୀର ଆଉ କୋହଲିଙ୍କ ଏଭଳି ବ୍ୟବହାର ପାଇଁ କଡା ଆକ୍ସନ ମଧ୍ୟ ନେଇଛି । ଆଇପିଏଲ ମିଡିଆ ଆଡଭାଇଜରୀ ଜାରି କରି କହିଛି, ଉଭୟ ଗମ୍ଭୀର ଏବଂ କୋହଲି ମ୍ୟାଚ ବେଳେ ଯେଉଁ ବ୍ୟବହାର ଦେଖାଇଛନ୍ତି ତାହା ଆଇପିଏଲ କୋଡ ଅଫ୍ କଣ୍ଡକ୍ଟର ଉଲ୍ଲଂଘନ । ଏଥିପାଇଁ ସେମାନଙ୍କର ଶହେ ପ୍ରତିଶତ ମ୍ୟାଚ ଫି କଟାହୋଇଛି । ସେହିପରି ଅନ୍ୟତମ ଖେଳାଳି ନବୀନ-ଉଲ-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟା ହୋଇଛି ସୂଚନା ଦିଆଯାଇଛି ।

ତେବେ କୋହଲି ଆଉ ଗମ୍ଭୀରଙ୍କ ଭିତରେ ଲାଗିଥିବା ଏହି କଳି ଏବେର ନୁହେଁ । ପୂର୍ବରୁ ୨୦୧୩ରେ ମଧ୍ୟ ଏହି ଦୁଇ ଖେଳାଳି ପଡିଆ ମଝିରେ ମୁହାଁମୁହିଁ ହୋଇଥିଲେ । ସେତେବେଳେ ଗମ୍ଭୀର କେକେଆର ଟିମର କ୍ୟାପଟେନ୍ ଥିଲାବେଳେ, କୋହଲି ବି ବାଙ୍ଗାଲୋର ଦଳରେ ରହିଥିଲେ । ଆଉ ସେ ଘଟଣାର ପ୍ରାୟ ୧୦ ବର୍ଷ ପରେ ସୋମବାର ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଖେଳାଳି ।