ଏହି ଗାଁ ହେଉଛି ଶିକ୍ଷକ ତିଆରି କାରଖାନା । ଗୋଟିଏ ଗାଁରେ ରହିଛନ୍ତି ୩ଶହରୁ ଉର୍ଦ୍ଧ ଶିକ୍ଷକ । ମାଗଣା କୋଚିଂ ସେଣ୍ଟରରେ ପାଠପଢୁଛନ୍ତି ପିଲା

250

କନକ ବ୍ୟୁରୋ : ଭାରତର ଏମିତି ଏକ ଗାଁ ଯାହା ଦେଶକୁ ଦେଇଛି ୩୦୦ରୁ ଅଧିକ ଶିକ୍ଷକ । ଗାଁରେ ପ୍ରତି ଘରେ ରହିଛନ୍ତି ଜଣେ ଜଣେ ଉଚ୍ଚସ୍ତରୀୟ ଶିକ୍ଷକ । ଆମ ଦେଶରେ ଶିକ୍ଷାର ଭିନ୍ନ ଏକ ଗୁରୁତ୍ବ ରହିଛି । ବୃଦ୍ଦି ପାଉଥିବା ଟେକ୍ନୋଲୋଜିର ବ୍ୟବହାର ସହ ଦେଶରେ ଶିକ୍ଷାର ମାନ ବୃଦ୍ଧି ପାଇବାରେ ଲାଗିଛି । କୁହାଯାଏ ଇଚ୍ଛାଶକ୍ତି ଆଗରେ ହାର ମାନେ ସମସ୍ତ ବାଧାବିଘ୍ନ । କଠିନ ପରିଶ୍ରମ ବଳରେ , ନିଜର ଗନ୍ତବ୍ୟସ୍ଥଳ ହାସଲ କରିବା ସହଜ ହୋଇଥାଏ । ଯାହାକୁ ପ୍ରମାଣିତ କରିଦେଖାଇଛି ଏମିତି ଏକ ଗାଁ । ଯେଉଁ ଗାଁରେ ଲୋକମାନେ ପ୍ରଥାମିକ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଟିଜିଟି ଶିକ୍ଷକ, ପିଜିଟି ଶିକ୍ଷକ, ଏବଂ ବିଦ୍ୟାଳୟ ଇନ୍ସପେକ୍ଟର ହୋଇଛନ୍ତି । ଗାଁର ପ୍ରତ୍ୟେକ ପରିବାରରେ ଆପଣଙ୍କୁ ଏହି ଯୋଶ୍ ଦେଖିବାକୁ ମିଳିବ । ଉତ୍ତରପ୍ରଦଶେର ବୁଲନ୍ଦଶାହର ‘ସାଖନୀ’ ଗାଁ । ଜାହାଙ୍ଗୀରବାଦ ଠାରୁ ଏହି ଗାଁ ପ୍ରାୟ ୩କିଲୋମିଟର ଦୂରରେ ଅବସ୍ଥିତ ।

ଗ୍ରାମରେ ରହୁଥିବା ହୁସେନ୍ ଅୱାସ, ପେଶାରେ ସେ ଜଣେ ଶିକ୍ଷକ । ସାଖନୀ ଗାଁର ଇତିହାସକୁ ଆଧାର କରି ତହକୀକୀ ଦସ୍ତାବୀଜ୍ ନାମକ ଏକ ପୁସ୍ତକ ଲେଖିଛନ୍ତି । ହୁସେନ୍ ଏହି ପୁସ୍ତକରେ ଲେଖିଛନ୍ତି,ଯେ ବର୍ତ୍ଥମାନ ପର୍ଯ୍ୟନ୍ତ ଏହି ଗାଁର ପ୍ରାୟ ୩୫୦ରୁ ଅଧିକ ଲୋକ ସରକାରୀ ଶିକ୍ଷକ ହୋଇପାରିଛନ୍ତି । ଏହି ଗାଁର ପ୍ରଥମ ଶିକ୍ଷକ ଥିଲେ ତୁଫେଲ୍ ଅହମ୍ମଦ, ୧୮୮୦-୧୯୪୦ ପର୍ଯ୍ୟନ୍ତ ତୁଫେଲ୍ ଶିକ୍ଷକ ଭାବେ କାମ କରିଥିଲେ । ତୁଫେଲ ଅହମ୍ମଦ ଜଣେ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଥିଲେ ।

କୁହାଯାଏ ଏହି ଗାଁରେ ପ୍ରଥମ ବିଦ୍ୟାଳୟ ୧୮୭୬ ମସିହାରେ ନିର୍ମାଣ କରାଯାଇଥିଲା । ଯେଉଁଠି ପିଲାମାନଙ୍କୁ କେବଳ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ସୁବିଧା ଥିଲା । ପରବର୍ତ୍ତୀ ସମୟରେ ଏହି ଗାଁରେ ୧୯୦୩ ରେ ୪ଟି ଘରୋଇ ଏବଂ ଗୋଟିଏ ସରକାରୀ ବିଦ୍ୟାଳୟର ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଏହି ଗାଁରେ ମୋଟ ୭ଟି ବେସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଅଛି । ପ୍ରକାଶିତ ପୁସ୍ତକ ଅନୁଯାୟୀ ଏହି ଗାଁରେ ମୋଟ ଜନସଂଖ୍ୟା ୧୫ ରୁ ୧୮ ହଜାର । ଏବଂ ସେମାନଙ୍କ ମଧ୍ୟରୁ ଗାଁର ୩୦୦ରୁ ୩୫୦ ଜଣ ସରକାରୀ ଶିକ୍ଷକ ଭାବେ କାମ କରିଆସୁଛନ୍ତି । ଏହି ଗାଁର ଶିକ୍ଷକ ମାନେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଶିକ୍ଷକ ଭାବେ କାମ କରୁଛନ୍ତି । ସନୁଠାରୁ ବଡ କଥା ହେଉଛି ଏହି ଗାଁରେ ଅଧିକାଂଶ ଶିକ୍ଷକ ମହିଳା । ଏହି ଗାଁର ଲୋକମାନେ ମୁଖ୍ୟତଃ ଶିକ୍ଷକ ବୃତ୍ତିକୁ ଅଧିକ ପସନ୍ଦ କରିଥାନ୍ତି । ହୁସେନଙ୍କ ପୁସ୍ତକ ଅନୁଯାୟୀ ଏହି ଗାଁରେ ଅନେକ ଲୋକଅଲଗା ବୃତ୍ତି କୁ ମଧ୍ୟ ଆପଣାଇଛନ୍ତି ।

ଏହି ଗାଁରେ ରହିଛି ମାଗଣା କୋଚିଂ ସେଣ୍ଟର । ସାଖନୀ ଲାଇବ୍ରେରୀ ଏବଂ କୋଚିଂ ସେଣ୍ଟର ରେ ପିଲାମାନଙ୍କୁ ମାଗଣା କୋଚିଂ ଦିଆଯାଉଛି । ଏହି କୋଚିଂ ସେଣ୍ଟରରେ ଶିକ୍ଷା ଦାନ କରୁଥିବା ଶିକ୍ଷକମାନେ କୌଣସି ଦରମା ନେଇନଥାନ୍ତି । ଏହି କୋଚିଂ ରେ ୧୨ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ‘ତହକୀକୀ ଦସ୍ତାବୀଜ୍ ‘ ପୁସ୍ତକ ଅନୁଯାୟୀ ଏହି ଗାଁ ପାଞ୍ଚଶହ ବର୍ଷରୁ ଅଧିକ ପୁରୁଣା । ଏବଂ ଇତିହାସ ପୃଷ୍ଠାରେ ମଧ୍ୟ ଏହି ଗାଁ ବିଷୟରେ ଉଲ୍ଲେଖ ଥିବା ଦେଖିବାକୁ ମିଳେ ।