ଧାନ କ୍ଷେତରେ ଟ୍ରାକ୍ଟର ଚଲାଇଲେ ଧୋନୀ : ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଲେ, ‘ନୂଆ ଶିଖିବାର ମଜାଦାର ଅନୁଭୂତି’

113

କନକ ବ୍ୟୁରୋ : ଧାନ କ୍ଷେତରେ ଧୋନୀ । ଟ୍ରାକ୍ଟର ଚଳାଇଲେ ମାହି । କ୍ୟାପଟେନ୍ କୁଲ ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବା କିଛି ବର୍ଷ ହେଲାଣି । ହେଲେ ତାଙ୍କର ଅଗଣିତ ଫ୍ୟାନ ଧୋନୀଙ୍କ ବିଷୟରେ ଜାଣିବାକୁ ସବୁବେଳେ ଆଗ୍ରହୀ ହୋଇ ରହିଛନ୍ତି । ଧୋନୀ ମଧ୍ୟ ମଝିରେ ମଝିରେ ନିଜର ଭିଡିଓ ପୋଷ୍ଟ କରି ଫ୍ୟାନଙ୍କ ସହ ଖୁସି ବାଣ୍ଟୁଛନ୍ତି । ଠିକ୍ ଏବେ ଏହିପରି ଏକ ମଜଦାର ଭିଡିଓ ସେୟାର କହିଛନ୍ତି ମାହି । ଏଥିରେ ସେ ଟ୍ରାକ୍ଟର ଚଳାଉଛନ୍ତି । କ୍ଷେତ୍ରରେ ପୁରା ଅଭିଜ୍ଞ ଚାଳକଙ୍କ ଭଳି ଧୋନୀ ଟ୍ରାକ୍ଟର ଚଳାଉଛନ୍ତି । ତାଙ୍କ ସହ ଟ୍ରାକ୍ଟରରେ ଆଉ କିଛି ଲୋକ ମଧ୍ୟ ବସିଛନ୍ତି ।

ନିଜ ଇନଷ୍ଟ୍ରାଗ୍ରାମରେ ଭିଡିଓ ସେୟାର କରି ମାହି ଲେଖିଛନ୍ତି ଯେ, ନୂଆ କିଛି ଶିଖିବା ସବୁବେଳେ ଏକ ମଜାଦାର ଅନୁଭୂତି । ହେଲେ ଏହି କାମ ସାରିବାକୁ ବହୁ ସମୟ ଲାଗିଲା ବୋଲି ସେ ଲେଖିଛନ୍ତି । ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ଏକ କୋଟି ଲୋକ ଏହାକୁ ଦେଖିସାରିଲେଣି । ମାହି ଟ୍ରାକ୍ଟର ଚଳାଉଥିବା ଭିଡିଓ ଉପରେ ଏକାଧିକ ସେଲିବ୍ରିଟି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତେବେ ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରତିକ୍ରିୟା ସବୁଠୁ ମଜାଦାର । ଜାଡ଼େଜା ଲେଖିଛନ୍ତି, ମାହି ଭାଇ ଟ୍ରାକ୍ଟର ତ ଚଳାଉଛନ୍ତି, ହେଲେ ଗାଡ଼ିର ନମ୍ବର ପ୍ଲେଟ କାହିଁ ?

ସେହିପରି ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ଧୋନୀଙ୍କ ଭିଡିଓ ଉପରେ ଖୁସି ଜାହିର କରିଛନ୍ତି । ଧୋନୀ ନୂଆ ନୂଆ ଅନ୍ଦାଜରେ ସବୁବେଳେ ସାମ୍ନାକୁ ଆସିଥାନ୍ତି । କେତେବେଳେ ନିଜ ବାଇକରେ ଝିଅ ଝିଭାକୁ ବସାଇ ବୁଲାଉଥିବାର ଦେଖିବାକୁ ମିଳନ୍ତି, ତ କେତେବେଳେ ଧ୍ୟାନ ମୁଦ୍ରାରେ ତାଙ୍କର ଭିଡିଓ ଭାଇରାଲ ହୋଇଥାଏ । ୨୦୧୧ ବିଶ୍ୱକପ ବିଜୟୀ ଟିମର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । ନିଜ ଶାନ୍ତ ସ୍ୱଭାବ ଓ ବିଚକ୍ଷଣ ରଣନୀତି ପାଇଁ ଖେଳ ପଡ଼ିଆରେ ବିପକ୍ଷ ଦଳକୁ ଚିତ୍ କରିବାରେ ମାହିର ଥିବା ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ସତ, ହେଲେ ଆଜି ବି ଫ୍ୟାନଙ୍କ ପାଇଁ ସେ ପ୍ରିୟ ମାହି ଭାଇ ।