ଆଜିଠୁ ଦୁଇ ଦିନ ପ୍ରବଳ ବର୍ଷା ! ୨ଟି ଜିଲ୍ଲାକୁ ରେଡ୍‌, ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

1,044

କନକ ବ୍ୟୁରୋ : ବିଳମ୍ବିତ ରାତିରୁ ବିଭିନ୍ନ ସ୍ଥାନରେ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଅବପାତର ରୂପ ନେବ । ଏହା ପୂର୍ବରୁ ରାତିରୁ ବର୍ଷା ହେଉଛି । ଆଜିଠୁ ଦୁଇ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରୁ ଲୋକେ ବାହାରି ନାହାନ୍ତି । ଏପରି ସମୟରେ ପ୍ରବଳ ବର୍ଷା ଆଶଙ୍କା ଲୋକଙ୍କ ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଛି । କେବଳ ଓଡିଶାରେ ନୁହେଁ ଛତିଶଗଡରେ ମଧ୍ୟ ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ।

ଛତିଶଗଡ ଉପରମୁଣ୍ଡରେ ରହିଛି । ତେଣୁ ପୁଣିଥରେ ତଳମୁଣ୍ଡରେ ଥିବା ଓଡିଶାକୁ ପାଣି ଆସିଲେ ନଦୀରେ ଜଳସ୍ତର ବଢିବ । ଗୋଟିଏ ପଟେ ବିଭିନ୍ନ ନଦୀରେ ଜଳସ୍ତର କମିଆସୁଥିଲା । ଏହି ସମୟରେ ବର୍ଷା ହେବା ସାଧାରଣ ଲୋକଙ୍କ ସମେତ ବନ୍ୟା ବିପନ୍ନାଙ୍କ ଚିନ୍ତା ବଢାଇଛି । ଏସଆରସି ପ୍ରଦୀପ ଜେନା ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ଆଶଙ୍କା ଥିବା ବେଳେ ଉତ୍ତର ଓଡ଼ିଶା ପାଇଁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ୨୦ ତାରିଖ ସକାଳେ ଅବପାତ ଝାଡଖଣ୍ଡରେ ପହଁଚିବ । ଏହାର ପ୍ରଭାବ ଉତ୍ତର-ପଶ୍ଚିମ ଓଡିଶା ଉପରେ ଅଧିକ ପଡ଼ିବ ।

ତେଣୁ ଉତ୍ତର-ପଶ୍ଚିମ ଓଡିଶାରେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁର, ବାଲେଶ୍ୱର, ଭଦ୍ରକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ରହିଛି ।