କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଜାତୀୟ ଗଣମାଧ୍ୟମରେ ରିପୋର୍ଟ; ଏନଡିଏ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଚର୍ଚ୍ଚାରେ ଭେଙ୍କେୟା ନାଇଡୁ

389

କନକ ବ୍ୟୁରୋ : କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନଡିଏ ସରକାର କିମ୍ବା ବିରୋଧୀ ମେଣ୍ଟ, କେହି ବି ନିଜ ନିଜ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ ଚର୍ଚ୍ଚାର ଆଗରେ ରହିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେଉଛି । କାରଣ ଦକ୍ଷିଣ ଭାରତରେ ନିଜର ଭୋଟ ବ୍ୟାଙ୍କ ବଢାଇବାକୁ ବିଜେପି ଜଣେ ଦକ୍ଷିଣ ଭାରତୀୟ ଚେହେରା ଭାବରେ ଭେଙ୍କେୟା ନାଇଡୁଙ୍କୁ ଆଗକୁ ଆଣିବାକୁ ଚାହୁଁଛି ।

ସେହିପରି ବିରୋଧୀ ପ୍ରାର୍ଥୀ ଦେବା ଆଶଙ୍କାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସମର୍ଥନ ହାସଲ କରିବାରେ ଏହା ବିଜେପିକୁ ସହାୟକ ହୋଇପାରେ । ଉପରାଷ୍ଟ୍ରପତି ଭାବେ ରାଜ୍ୟସଭା ପରିଚାଳନା କଲାବେଳେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିଛନ୍ତି । ଜଣେ ବିଚକ୍ଷଣ ରାଜନେତା ଭାବରେ ଦଳମତ ନିର୍ବିଶେଷରେ ତାଙ୍କର ଆଦୃତି ରହିଛି । ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଭେଙ୍କେୟା ନାଇଡୁଙ୍କ ସୁସଂପର୍କ ରହିଆସିଛି । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସମର୍ଥନ ମିଳିବା ସମ୍ଭାବନା ମଧ୍ୟ ବଢିଯିବ ବୋଲି କୁହାଯାଉଛି ।