ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଭିତରେ ସେନାମୁଖ୍ୟଙ୍କ ବୟାନ୍ : କହିଲେ, ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ନାହିଁ ଠିକ୍ ସୂଚନା

292

କନକ ବ୍ୟୁରୋ : ଅଗ୍ନିପଥ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେନାମୁଖ୍ୟ ମେଜର ଜେନେରାଲ ମନୋଜ ପାଣ୍ଡେ । ସେନାମୁଖ୍ୟ କହିଛନ୍ତି ଅଗ୍ନିପଥ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିନାହିଁ ସଠିକ୍ ସୂଚନା । ଥରେ ତାଙ୍କ ପାଖରେ ଏନେଇ ଉପଯୁକ୍ତ ସୂଚନା ପହଞ୍ଚିଗଲେ ସେମାନେ ଏହି ଯୋଜନା ଉପରେ ଭରସା କରିବା ସହ ଏହାର ଲାଭ ସମ୍ପର୍କରେ ଜାଣିପାରିବେ । ଏହାସହ ୨ଦିନ ଭିତରେ ଜଏନ ଇଣ୍ଡିଆନ ଆର୍ମି ଡଟ୍ ଏନଆଇସି ଡଟ୍ ଇନରେ ନୋଟିଫିକେସନ ଦିଆଯିବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ଆସନ୍ତା ଡିସେମ୍ବର ଶୁଦ୍ଧା ଅଗ୍ନିବୀରଙ୍କ ତାଲିମ ପ୍ରକ୍ରୀୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସେନାମୁଖ୍ୟ ମେଜର ଜେନେରାଲ ମନୋଜ ପାଣ୍ଡେ ।

ସେପଟେ, ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି । ଏପଟେ ଅଗ୍ନିବୀରଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆଗକୁ ବଢିବାରେ ଲାଗିଛି । ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ । ଏହାସହ ଅଗ୍ନିପଥ ନିଯୁକ୍ତି ଯୋଜନାର ବୟସ ସୀମା ମଧ୍ୟ ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ । କେନ୍ଦ୍ର ସରକାର ସେନା ବାହିନୀ ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନାରେ ବୟସ ସୀମା ବୃଦ୍ଧି କରିଛନ୍ତି ।

ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢାଇ ୨୧ରୁ ୨୩ ବର୍ଷ କରାଯାଇଛି । ଏବେ ଏହି ଯୋଜନାରେ ୨୩ ବର୍ଷ ବୟସର ଯୁବକ ଯୁବତୀମାନେ ବି ନିଯୁକ୍ତି ପାଇପାରିବେ । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏହି ବର୍ଦ୍ଧିତ ବୟସ ସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।