ଅନୁଭବ-ବର୍ଷା ବିବାଦ ମାମଲାରେ ଘର ଚାବି ଫେରାଇଲେ ବର୍ଷା। କଟକ ଏସଡିଜେଏମ କୋର୍ଟରେ ଦାଖଲ କଲେ ଚାବି।

160

କନକ ବ୍ୟୁରୋ: ବର୍ଷା ଫେରାଇଲେ ଅନୁଭବଙ୍କ ଘର ଚାବି । କଟକ ଏସଡିଜେଏମ କୋର୍ଟରେ ଦାଖଲ କଲେ ଚାବି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ହାଜର ହୋଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ପୈତୃକ ଘରର ଚାବି ଫେରାଇଛନ୍ତି ।  ବର୍ଷା କୋର୍ଟରେ ହାଜର ହେବା ସହ ତାଙ୍କ ଆଇନଜୀବୀଙ୍କ ସହ ଯାଇ ଶାଶୁ ଘରର ଚାବି ଜିମା ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଘର ଛାଡିଥିଲେ ବି ଅନୁଭବଙ୍କ ପୈତୃକ ଘର ଚାବିକୁ ସାଙ୍ଗରେ ନେଇ ଯାଇଥିଲେ । ଏହାକୁ ନେଇ ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଚାବି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଧାମନଗର ଉପନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡିର ଷ୍ଟାର ପ୍ରଚାରକ ସାଜିଥିଲେ  ବର୍ଷା । ବିଜେଡି ପ୍ରାର୍ଥୀଙ୍କ ପାଇଁ ରୋଡସୋ କରି ଭୋଟ ମାଗିଥିଲେ । କିନ୍ତୁ ବିଜେଡି ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡିଥିବା ଅନୁଭବ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି  । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର ନହୋଇ ବର୍ଷା ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ଅନୁଭବ । ଏନେଇ ସେ ବର୍ଷାଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଥିବା ଜଣାଡିଛି । ପିଟିସନରେ ଅନୁଭବ ଦର୍ଶାଇଛନ୍ତି,  ସେମାନଙ୍କ ବିବାହ ବିଛେଦ ମାମଲାର ତ୍ୱରିତ ଶୁଣାଣି ପାଇଁ ସହଯୋଗ କରିବେ ବୋଲି ପୂର୍ବରୁ ବର୍ଷା ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ । ହେଲେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହାଁନ୍ତି ବର୍ଷା ।

କଟକ ପରିବାର ଅଦାଲତରେ ଚାଲିଛି ଅନୁଭବ – ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା । ଏହି ମାମଲାର ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟ ଅକ୍ଟୋବର ୩୧, ନଭେମ୍ବର ୧ ଓ ୨ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ ।  କିନ୍ତ ସାକ୍ଷ୍ୟ ଗ୍ରହଣର ଦ୍ୱିତୀୟ ଦିନରେ ବର୍ଷା ଅନୁପସ୍ଥିତ ରହିଥିଲେ ଓ ଧାମନଗରରେ ନିର୍ବାଚନ ପ୍ରଚାର କରିଥିଲେ । ଯାହାର ପ୍ରମାଣ ଅନୁଭବ କୋର୍ଟଙ୍କୁ ଦେଇଥିବା ସୂଚନା ମିଳିଛି ।