ମୋରବୀ ଦୁର୍ଘଟଣାରେ ବଡ଼ ଖୁଲାସା। ପୋଲର ହୋଇଥିଲା ନିମ୍ନମାନର କାମ, ମରାମତି ଅର୍ଥର ହୋଇଛି ହେରଫେର।

138

କନକ ବ୍ୟୁରୋ: ଗୁଜରାଟ ମଛୁ ନଦୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି । ପୋଲ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ହୋଇଥିବା କଥା ସାମ୍ନାକୁ ଆସିଛି । ପୋଲର ନବୀକରଣ ପାଇଁ ଆଗତ ହୋଇଥିଲା ୨୦୦ କୋଟି ଟଙ୍କାର ବଜେଟ୍ । ମରାମତି ଦାୟିତ୍ୱ ଓରେଭା କମ୍ପାନୀକୁ ଦିଆଯାଇଥିଲା । କିନ୍ତୁ କମ୍ପାନୀ ମରାମତିରେ ବ୍ୟାପକ ଦୁର୍ନୀତି କରାଯାଇଥିବା କୋର୍ଟରେ ଦାଖଲ ହୋଇଥିବା ଫରେନ୍ସିକ ରିପୋର୍ଟରେ ଜଣାପଡ଼ିଛି । ପୋଲର ମରାପତି ପାଇଁ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେମାନେ ଆଦୌ ତାଲିମପ୍ରାପ୍ତ ନଥିବା ସରକାରୀ ଓକିଲ କୋର୍ଟକୁ ଜଣାଇଛନ୍ତି । ଫରେନ୍ସିକ୍ ରିପୋର୍ଟ ଆଧାରରେ କୋର୍ଟଙ୍କୁ କୁହାଯାଇଛି ଯେ, ପୋଲର ଚଟାଣକୁ ବଦଳାଇ ଦିଆଯାଇଥିଲା, କିନ୍ତୁ ମରାମତି ବେଳେ ଏହାର ତାର ଅପରିବର୍ତ୍ତିତ ରହିଥିଲା । ଚଟାଣରେ ଆଲୁମିନିୟମରୀ ଚାରୋଟି ଲେୟର ଲାଗିଥିଲା, ଯାହା ବ୍ରିଜର ଓଜନକୁ ବଢ଼ାଇ ଦେଇଥିଲା । ଆଉ କେବୁଲ ଓଭରଲୋଡିଂ ଦ୍ୱାରା ଏହି ଦୁର୍ଘଟଣା ଘଟିଥିଲା । ତା’ଛଡ଼ା ମୋରବୀ ଝୁଲା ପୋଲର ମରାମତି ଦାୟିତ୍ୱରେ ଠିକାଦାର ଏହି କାମ ପାଇଁ ଆଦୌ ଯୋଗ୍ୟ ନଥିଲେ । ଏହା ସତ୍ତେ୍ୱ ୨୦୦୭ ଏବଂ ୨୦୨୨ରେ ପୋଲ ମରାମତି କାମ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

ସେପଟେ ଗୁଜରାଟର ମୋରବୀ ଝୁଲା ପୋଲ ଦୁର୍ଘଟଣାକୁ ନେଇ ଗୁଜରାଟର ବାର୍ ଆସୋସିଏସନ୍ ବଡ଼ ନିଷ୍ପତି ନେଇଛି । ମୋରବୀ ଦୁର୍ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନା କରିଛନ୍ତି ଦୁଇ ବାର୍ ଆସୋସିଏସନ୍ । ମୋରବୀ ବାର୍ ଆସୋସିଏନସର ବରିଷ୍ଠ ପରାମର୍ଶଦାତା ଏ.ସି ପ୍ରଜାପତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଉଭୟ ମୋରବୀ ବାର୍ ଆସୋସିଏସନ୍ ଓ ରାଜକୋଟ ବାର୍ ଆସୋସିଏନ୍ ପ୍ରସ୍ତାବ ପାରିତ କରିଛନ୍ତି । ଓରେଭା କମ୍ପାନୀର ୯ କର୍ମଚାରୀଙ୍କ ପାଇଁ ମାମଲା ଲଢ଼ିବେନି ବୋଲି ଏହି ପ୍ରସ୍ତାବରେ କୁହାଯାଇଛି ।

ରବିବାର ଘଟିଥିବା ଏହି ଅଘଟଣରେ ଏପର୍ଯ୍ୟନ୍ତ ୧୩୫ ଲୋକଙ୍କର ମୃତ୍ୟୁ ଘଟିସାରିଛି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । କାରଣ ଏବେବି ଅନେକ ଲୋକ ନିଖୋଜ ଅଛନ୍ତି । ସେପଟେ ମୃତକଙ୍କ ପାଇଁ ଦିନିକିଆ ଶୋକ ପାଳନ କରାଯାଇଛି ।