କ୍ୟାମ୍ପେନ ମୋଡରେ ଦେଶର ଟିକାକରଣ ଅଭିଯାନ । ଗୋଟିଏ ସପ୍ତାହରେ ପାଖା ପାଖି ୪ କୋଟି ଲୋକଙ୍କୁ ଦିଆଗଲାଣି ଟିକା

124

କନକ ବ୍ୟୁରୋ : ଜୁନ ୨୧ ତାରିଖରୁ ନୂଆ ନିୟମ ମୁତାବକ ଚାଲିଥିବା ଟିକାକରଣ ଅଭିଯାନରେ ଲୋକମାନେ ଇଚ୍ଛାକୃତ ଭାବେ ସାମିଲ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀଙ୍କ ସୂଚନା ମୁତାବକ ସରକାର ଜୁନରେ ୨୦ କୋଟି ଓ ଜୁଲାଇରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ଜୁନ ୨୧ ତାରିଖରୁ ଜୁନ ୨୫ ତାରିଖ ମଧ୍ୟରେ ୩.୯୮ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ସେହିଭଳି ଜୁନ ୧୨ ରୁ ୧୮ ତାରିଖ ମଧ୍ୟରେ ୨.୧୨ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲା । ଏହାସହ ମେ ମାସରେ ମାତ୍ର ୯୨ ଲକ୍ଷ ଖୋରାକ ଟିକା ଦିଆଯାଇଥିବା ନେଇ କୁହାଯାଇଛି ।

ସରକାରୀ ସୂଚନା ମୁତାବକ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତ ୯୪ କୋଟି ଲୋକଙ୍କୁ ଟିକାର ଉଭୟ ଖୋରାକ ଦେବା ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

କହିରଖୁ କି ଚଳିତ ସପ୍ତାହରେ ଦିଆଯାଇଥିବା ୩.୯୮ କୋଟି ଟିକା ମଧ୍ୟରୁ କେବଳ ୧୮-୪୪ ବର୍ଷ ମଧ୍ୟରେ ୭୦ ପ୍ରତିଶତ ଟିକା ଦିଆଯାଇଛି । ଏହା ମଧ୍ୟରୁ ୮୯ ପ୍ରତିଶତ ପ୍ରଥମ ଡୋଜ ଟିକା ରହିଛି ।

ଚଳିତ ସପ୍ତାହରେ ସବୁଠାରୁ ଅଧିକ ଟିକା ଉତ୍ତରପ୍ରଦେଶରେ ଦିଆଯାଇଛି । ୨୧ ରୁ ୨୫ ତାରିଖ ମଧ୍ୟରେ ଉତ୍ତରପ୍ରଦେଶରେ ୪୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ସେହିଭଳି ସମାନ ସମୟରେ ମଧ୍ୟପ୍ରଦେଶରେ ୩୭ ଲକ୍ଷ,କର୍ଣ୍ଣାଟକରେ ୩୧ ଲକ୍ଷ, ମହାରାଷ୍ଟ୍ରରେ ୩୦ ଲକ୍ଷ, ରାଜସ୍ଥାନରେ ୨୮ ଲକ୍ଷ,ଓ ଗୁଜୁରାଟରେ ୨୬ ଲକ୍ଷ ଟିକା ଦିଆଯାଇଥିବା କଥା କୁହାଯାଇଛି ।

ଅନ୍ୟପଟେ ମୋଟ ଟିକାକରଣ ମାମଲାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୨୫ ତାରିଖ ସୁଦ୍ଧା ୩.୦୩ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଏହା ପଛରେ ରହିଛି ଉତ୍ତର ପ୍ରଦେଶ । ଏଠାରେ ୨.୯୯ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ରାଜ୍ୟ ସରକାରମାନେ କହିଛନ୍ତି କି କେନ୍ଦ୍ର ସରକାର ଯଦି ଏହି କ୍ରମରେ ଟିକା ଯୋଗାଇ ଦେବେ ତେବେ ଡିସେମ୍ବର ମାସ ସୁଦ୍ଧା ୧୮ ରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଟିକାକରଣ ଶେଷ କରାଯାଇ ପାରିବ ।