ଫୋକସରେ ପଞ୍ଚାୟତ ନିର୍ବାଚନ, ୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ । ୪ ଯୁବ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ, ଯୁବ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଲା ଦଳ ।

373

କନକ ବ୍ୟୁରୋ : ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ଖାସକରି ଯୁବ ଓ ଅଭିଜ୍ଞ ନେତାଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରିଛି ଦଳ ।  ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ର ସାରଥୀ ବେହେରା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂଙ୍କୁ ୨ଟି ଲେଖାଏଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମୟୂରଭଞ୍ଜ ଓ କେଉଁଝରର ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ଦାୟିତ୍ୱ ମିଳିଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳର ଏଠାରେ ଏତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା । ତେଣୁ ଏହି ଦୁଇ ଜିଲ୍ଲାରେ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ପ୍ରଣବଙ୍କ ହାତରେ ଗୁରୁଦାୟିତ୍ୱ ଦେଇଛି ଦଳ । ସେହିଭଳି ସୁଶାନ୍ତ ସିଂଙ୍କୁ  ଦେବଗଡ ଓ ବଲାଙ୍ଗୀର ଦାୟିତ୍ୱ ଦେଇ ଦଳ ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି ।

ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାର ଦାୟିତ୍ୱ ଦେଇ ଦୁଇ ଯୁବ ନେତା ଅତନୁ ସବ୍ୟସାଚୀ ନାୟକ ଓ ଚନ୍ଦ୍ରସାରଥୀ ବେହେରାଙ୍କ ଉପରେ ଭରସା କରିଛି ଦଳ । ରାୟଗଡା ଓ ଗଜପତିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦଳ ଅତନୁଙ୍କ ହାତରେ ଦେଇଥିବା ବେଳେ କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ ଚନ୍ଦ୍ରସାରଥୀଙ୍କ ହାତରେ ଦେଇଛି ଦଳ ।

ସେହିଭଳି ଗୁରୁତ୍ୱପୂର୍ଣ୍ଣ ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପର୍ଯବେକ୍ଷକ ଦାୟିତ୍ୱ ଦିଆଯାଇଛି । ସେହିଭଳି ବାଲେଶ୍ୱର ପର୍ଯ୍ୟବେକ୍ଷକ ଭାବେ ପ୍ରତାପ ଦେବଙ୍କୁ, ପ୍ରଣବ ବଳବନ୍ତରାୟଙ୍କୁ ଭଦ୍ରକ, ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର, ନବ ଦାଶଙ୍କୁ କଳାହାଣ୍ଡି, ଦେବାଶିଷ ସାମନ୍ତରାୟଙ୍କୁ କେନ୍ଦ୍ରାପଡ଼ାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ଅନ୍ୟପଟେ ଦଳର କିଛି ପୁରୁଖା ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୩୦ ଜିଲ୍ଲାର ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରାଯାଇଛି ।