ସାଇକେଲରୁ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ । ସମ୍ପୂର୍ଣ୍ଣ ସୁସ୍ଥ ଥିବାନେଇ ସୂଚନା

149

କନକ ବ୍ୟୁରୋ: ସାଇକେଲ ଚଳାଇବା ବେଳେ ଖସିପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶନିବାର ସକାଳେ ଆମେରିକାର ଡେଲାୱାରେରେ ଥିବା ନିଜ ଘରୁ ସାଇକେଲ ଚଳାଇ ଯାଉଥିବାବେଳେ ବାଇଡେନ ଏକ ପାର୍କ ନିକଟରେ ଖସିପଡ଼ିଥିଲେ । ତେବେ ତାଙ୍କ ସହିତ ଥିବା ଆମେରିକାର ସିକ୍ରେଟ ସର୍ଭିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଠାଇଥିଲେ ।

ଏହି ଘଟଣାରେ ବାଇଡେନଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ସେ ଠିକ ଥିବା ଖୋଦ ବାଇଡେନ ପ୍ରକାଶ କରିଛନ୍ତି । ଶନିବାର ସକାଳ ସାଢେ ୮ଟାରେ ବାଇଡେନ ସାଇକେଲ ଚଳାଇ କେପ ହେଲନୋପଲ ପାର୍କକୁ ଯାଉଥିଲେ । ସାଇକେଲ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ସେ ଯାଉଥିବାବେଳେ କେତେକ ସାଧାରଣ ଲୋକ ତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ସେମାନଙ୍କ ଅଭିବାଦନ ଗ୍ରହଣ କରିବାକୁ ବାଇଡେନ ସାଇକେଲରେ ବ୍ରେକ ମାରି ଅଟକାଉଥିବାବେଳେ ଖସି ପଡ଼ିଥିଲେ ।

ତାଙ୍କ ସହିତ ଥିବା ସିକ୍ରେଟ ସର୍ଭିସର କର୍ମଚାରୀମାନେ ତୁରନ୍ତ ବାଇଡେନଙ୍କୁ ଉଠାଇବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ । ସାଇକେଲରୁ ଓହ୍ଲାଇବା ବେଳେ ତାଙ୍କ ଗୋଡ ପେଡାଲରେ ଛନ୍ଦି ହୋଇଯାଇଥିଲା, ଫଳରେ ସେ ଖସିପଡ଼ିଥିଲେ । ଏହା ପୂର୍ବରୁ ବାଇଡେନ ଏୟାର ଫୋର୍ସ ବିମାନରୁ ଓହ୍ଲାଉଥିବାବେଳେ ଖସିପଡ଼ିଥିଲେ ।