ସମ୍ବଲପୁରରେ କୋଇଲା ଖଣି ପାଇଁ ଚାଲିଛି ଆଖିବୁଜା ଗଛକଟା : କନକ ନ୍ୟୁଜ୍ ହାତରେ ଲାଗିଲା ସାଂଘାତିକ୍ ତଥ୍ୟ, ହାତୀ ଓ ବନ୍ୟଜନ୍ତୁଙ୍କ ଚଲାପଥରେ ଖଣି ପାଇଁ କିପରି ମିଳିଲା ଅନୁମତି ?

223

କନକ ବ୍ୟୁରୋ : କୋଇଲା ଖଣି ପାଇଁ ସମ୍ବଲପୁରରେ ମନଇଚ୍ଛା ଗଛ କାଟୁଛି ଏନଏଲସି କମ୍ପାନୀ । ବନୀକରଣ ନକରି ଜଙ୍ଗଲ କାଟି ପଦା କରୁଥବାରୁ ପରିବେଶବିତ ମାନେ ଉଦ୍ବେଗ ପ୍ରକାଶ କରୁଥିବା ବେଳେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ଅଂଚଳରେ ଗଛକଟା ଚାଲିଛି, ସର୍ଭେ ସମୟରେ ସେହି ଅଂଚଳ ବନ୍ୟଜନ୍ତୁଙ୍କ ଯାତାୟତ ବୋଲି ଉଲ୍ଲେଖ ଥିବା ଜଣାପଡିଛି ।

ତଲାବିରା ୨ ଓ ତଲାବିରା ୩ ଖଣି ଦିଆଯିବା ପରେ ସମ୍ବଲପୁର-ଝାରସୁଗୁଡ଼ା ସାମାନ୍ତରେ ବ୍ୟାପକ ଗଛକାଟି ଚାଲିଛି ଏନଏଲସି କମ୍ପାନୀ । ପ୍ରାୟ ୧୫ ହଜାର ବଡ଼ ବଡ଼ ଗଛ କଟାଗଲାଣି । ବନୀକରଣ ପୂର୍ବରୁ ଗଛକଟାକୁ ନେଇ ସାଧାରଣରେ ଉଦବେଗ୍ ପ୍ରକାଶ ପାଇଥିଲେ ବି ଚୁପ୍ ହୋଇ ବସିଛନ୍ତି ସରକାର । ସେପଟେ ଯେଉଁ ତଥ୍ୟ ସାମନାକୁ ଆସିଛି ତାହା ସାଂଘାତିକ । ଖିଣ୍ଡା ଗାଁର ଅକ୍ଷୟ କୁମାର ଶତପଥୀ ନାମକ ଜଣେ ଯୁବକ ଆରଟିଆଇରୁ ଯେଉଁ ତଥ୍ୟ ପାଇଛନ୍ତି, ତାହା ଆଖି ଖୋଲି ଦେବା ଭଳି । ଆରଟିଆଇ ତଥ୍ୟ କହୁଛି, ଜଙ୍ଗଲ କିସମକୁ ପରିବର୍ତନ କରିବା ପାଇଁ ଯେତେବେଳେ ଅନୁମତି ମଗାଯାଇଥିଲା, ତକ୍ରାଳୀନ ପିସିସିଏଫ୍ ରିପୋର୍ଟ ଦେଇଥିଲେ ଯେ ଏହି ଜଙ୍ଗଲଟି ହାତୀ ଓ ବନ୍ୟଜନ୍ତୁଙ୍କ ଚଳାପଥ । ଏହା ପରେ ବି କିପରି କୋଇଲା ଖଣି ପାଇଁ ଅନୁମତି ମିଳିଲା, ତାକୁ ନେଇ ଉଠିଛି ପ୍ରଶ୍ନ ।

ପଂଚାୟତରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୨ରେ ପଲ୍ଲିସଭାରେ ଖଣି ଖାଦାନ ପାଇଁ ରାଜି ହୋଇନଥିଲେ ଗ୍ରାମବାସୀ । ଏହା ପରେ ପଲ୍ଲୀସଭା ହୋଇଛି କି ନାହିଁ ସେ ନେଇ କୌଣସି ତଥ୍ୟ ନଥିବାରୁ ଅନେକ ସଂଦେହ ସୃଷ୍ଟି ହୋଇଛି । ତଦନ୍ତ କରାଯାଇ ସତକୁ ସାମନାକୁ ଆଣିବା ଲାଗି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏପଟେ ସ୍ଥାନୀୟ ଲୋକଙ୍କ ନିଯୁକ୍ତିକୁ ନେଇ ମଧ୍ୟ ଗ୍ରାମବାସୀ ମେଳି ହେବା ଆରମ୍ଭ କଲାଣି ।