ହୀରାକୁଦ ହଟହଟ୍ଟା: ପ୍ରକୃତି ହାତ ଯୋଡିଲେ, ଏଲିନା ଦୋଷ ଠେଲିଲେ । କେବେ ପାଟି ଫିଟାଇବେ ମନ୍ତ୍ରୀଙ୍କ ଝିଅ ?

2,709

କନକ ବ୍ୟୁରୋ: ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟିଂ କରିବା ନେଇ ଆଜି ଦିନ ତମାମ ଖବର ପ୍ରସାରଣ ପରେ କ୍ଷମା ମାଗିଛନ୍ତ ଭିଡିଓ କରିଥିବା ଅଭିନେତ୍ରୀ । ଦୁଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଏଲିନା ସାମନ୍ତରାୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି । ତେବେ ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ପ୍ରକୃତି ମିଶ୍ର ଏମିତି ଭୁଲ କେବେ କରିବିନି ବୋଲି କହିଛନ୍ତି । ହୀରାକୁଦର ସୌନ୍ଦର୍ଯ୍ୟ ଦେଖି ସେମାନେ ରହିପାରିଲେନି ଆଉ ନିଜ ମୋବାଇଲରେ ସୁଟ କରିଥିଲେ ଓ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା କହିଛନ୍ତି । ଛୁଆ ଲୋକ ନିୟମ ଜାଣି ନଥିଲୁ ତେଣୁ କ୍ଷମା କରନ୍ତୁ । ଆଗାମୀ ଦିନରେ ଏମିତି ଭୁଲ ଆଉ କେବେ ହେବନି ବୋଲି ପ୍ରକୃତି କହିଛନ୍ତି । ତେବେ ସେମାନେ ଫଟୋ କି ଭିଡିଓ ଉଠାଇବା କଥା ଜାଣି ନଥିଲେ ମାତ୍ର ଅନୁମତି ନେଇ ସେ ଅଞ୍ଚଳକୁ ପ୍ରବେଶ କରିଥିଲେ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ପ୍ରକୃତି ।

ସେପଟେ ଘଟଣା ନେଇ ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି ଅଭିନେତ୍ରୀ ଏଲିନା । ମୁଁ ଭୁଲ କରିନି ବରଂ ମୋତେ ଭିଡିଓରେ କଏଦ କରାଯାଇଛି କହି ନିଜ ମୁଣ୍ଡରେ ଲାଗିଥିବା ଦୋଷକୁ ଅନ୍ୟଙ୍କ ଉପରକୁ ଠେଲିଛନ୍ତି ଏଲିନା । କ୍ଷମା ପ୍ରାର୍ଥନା ଆଳରେ ଏଲିନାଙ୍କ ମୁଣ୍ଡରେ ଲାଗିଥିବା ଅଠାକୁ ପୋଛିବାକୁ ଯାଇ ସେ କହିଛନ୍ତି କି, ମତେ ଆପଣ କେଉଁଠି ଭିଡିଓ କରିଥିବାର ଦେଖିଛନ୍ତି କି ? ଭିଡିଓ ମୁଁ କରିନି ବରଂ ଭିଡିଓରେ ମତେ ଅଣାଯାଇଛି । ଆମେ ଅନୁମତି ନେଇ ସେଠାକୁ ଯାଇଥିଲୁ ମାତ୍ର ତାହା ନିଷିଦ୍ଧାଞ୍ଚଳ ବୋଲି ଜାଣିନଥିଲୁ । ସେଲିବ୍ରିଟି ହିସାବରେ ମୋତେ କିଏ ଭିଡିଓରେ ଆଣୁଛି, ଏଥିପ୍ରତି ଧ୍ୟାନ ଦେବାର ଥିଲା ମାତ୍ର ମୁଁ ଧ୍ୟାନ ଦେଇନଥିଲି, ଏଇଟା ମୋର ଭୁଲ ତେଣୁ କ୍ଷମା ମାଗୁଛି କହିଛନ୍ତି ଏଲିନା ।

ସେପଟେ ଉଭୟ ଅଭିନେତ୍ରୀଙ୍କ ସହ ଭିଡିଓରେ ଥିବା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଝିଅ ଭୁଲ କରିବା ପରେ ମିଡିଆରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ନବ ଦାସ । ମୋ ଝିଅ ପ୍ରାପ୍ତ ବୟସ୍କା, ସେ କଣ କରିଛି ତାକୁ ପଚରାଯାଉ ବୋଲି ନବ କହିଛନ୍ତି । ତେବେ ଭୁଲ ପାଇଁ ଆଇନ ତା ବାଟରେ ଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନବ ।

ତେବେ ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଅଭିନେତ୍ରୀ ଓ ମନ୍ତ୍ରୀଙ୍କ ଝିଅ ଭିଡିଓ କରିବା ନେଇ ଆଜି ଦିନ ତମାମ୍ ଚର୍ଚ୍ଚା ହୋଇଛି । ଡ୍ୟାମର ନିଷିଦ୍ଧାଂଚଳରେ କୌଣସି ପ୍ରକାର ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉପରେ କଟକଣା ରହିଛି । କିନ୍ତୁ ମୁଖ୍ୟବନ୍ଧ ଉପରେ ନିଜର ଭିଡିଓ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିଲା । ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଥିଲେ । ଯାହାକୁ ନେଇ ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା ।