ଚାକିରି ଦେବା ପାଇଁ ମନାକଲେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ : ରାଷ୍ଟ୍ରପତିଙ୍କ ଠାରୁ ଇଚ୍ଛା ମୃତ୍ୟୁ ମାଗିଲେ କିନ୍ନର

45

କିନ୍ନରଙ୍କୁ ସମାଜ ସବୁବେଳେ ଏକ ଭିନ୍ନ ନଜରରେ ଦେଖେ । କେବଳ ସମାଜ ପାଇଁ ହିଁ ହାତରେ ଢ଼ୋଲ ଧରି ନିଜ ସମୂଦାୟ ସହ ଘର ଘର ଯାଇ ଶୁଭକାମନା ଜଣାଇବା ପାଇଁ ବାଧ୍ୟ ହୁଅନ୍ତି ଏମାନେ । ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଚାହିଁଲେ ମଧ୍ୟ ବଞ୍ଚିପାରୁନାନ୍ତି । ଏମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ପାଇବା ପାଇଁ ସବୁଦିନ ଲଢ଼େଇ କରୁଛନ୍ତି ।  ୨୦୧୧ର ଜନଗଣନା ରିପୋର୍ଟ ଅନୁସାରେ ଭାରତରେ ଅଛନ୍ତି ୪ ଲକ୍ଷ ୯୦ ହଜାର କିନ୍ନର । ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ କିନ୍ନରମାନଙ୍କୁ ମିଳିଥିଲା ତୃତୀୟଲିଙ୍ଗର ସମ୍ମାନ । ତଥାପି ସେମାନେଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳି ପାରିନି । ତେବେ ଏହି କିନ୍ନରମାନଙ୍କ ମଧ୍ୟରେ ଏମିତି କିଛି ଅଛନ୍ତି ଯେଉଁମାନେ ନିଜର ଦକ୍ଷତା ଏବଂ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି । ତଥାପି ଲୋକେ ଆଜି ବି ତାଙ୍କୁ ଗ୍ରହଣ କରିପାରନ୍ତି ନାହିଁ । ତେବେ ସମାଜର ଏପରି ନଜରରେ ଅତିଷ୍ଠ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟ ମାଗିଛନ୍ତି ଜଣେ କିନ୍ନର । କାରଣ ଏୟାର ଇଣ୍ଡିଆ ତାଙ୍କୁ ଚାକିରିରେ ରଖିବା ପାଇଁ ମନା କରିଦେଇଛି ।

କିନ୍ନର ଶାନିଭୀ ପନ୍ନୁସ୍ୱାମୀ । ଏୟାର ଇଣ୍ଡିଆରେ ଚାକିରି ନଦେବାରୁ ବିଗତ ବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ ଶାନିଭୀ । ଆଉ ଏହାର ଉତ୍ତରରେ କୋର୍ଟ ଏୟାର ଇଣ୍ଡିଆ ଓ ବିମାନ ମନ୍ତ୍ରାଳୟକୁ ନୋଟିସ ପଠାଇ ଜବାବ ମାଗିଥିଲେ । ରାଷ୍ଟ୍ରପତଙ୍କୁ ଲେଖିଥିବା ପତ୍ରରେ ଶାନଭୀ ଦାବି କରିଛନ୍ତି ଏବେ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ କିମ୍ବା ବିମାନ ମନ୍ତ୍ରାଳୟ ତରଫରୁ କୌଣସି ଜବାବ ମିଳିନାହିଁ ।

ଶାନଭୀ କହିଛନ୍ତି, ଚାକିରି ବିନା ସେ ତାଙ୍କର ଆବଶ୍ୟକତାକୁ ପୁରା କରିପାରୁ ନାହାନ୍ତି ।  ସେ ତାଙ୍କ ନିତିଦିନିଆ ଖର୍ଚ୍ଚ ଉଠାଇବା ପାଇଁ ଅକ୍ଷମ । ଏପରିକି ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବା ପାଇଁ ମିଳୁନି । ଶାନଭୀ ଟ୍ରାନ୍ସ ରାଇଟ୍ ନାଓ କଲେକ୍ଟିଭ ନାମକ ଫେସବୁକ୍ ପେଜରେ ପତ୍ର ଲେଖି ଅପଲୋଡ଼୍ କରିଛନ୍ତି । ଶାନଭୀ କହିଛନ୍ତି ସେ କିନ୍ନର ହୋଇଥିବାରୁ ହିଁ ତାଙ୍କୁ ଚାକିରି ମିଳିନି । କଲ ଲେଟର ମିଳିଲେ ମଧ୍ୟ ତାଙ୍କୁ ଏଯାଏଁ ଚାକରି ମିଳପାରୁନି । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷକୁ ଏନେଇ ପ୍ରଶ୍ନ କଲେ ସେମାନେ କହୁଛନ୍ତି, ଏୟାର ଇଣ୍ଡିଆରେ କିନ୍ନରଙ୍କ ପାଇଁ କୌଣସି ବର୍ଗ ନାହିଁ ।