ଜୀବନ ଜୀବିକାରେ ଦୋଛକିରେ କିନ୍ନର । ଚାକିରିରୁ ଛଟେଇ ପରେ ଇଚ୍ଛାମୃତ୍ୟୁ ମାଗୁଛନ୍ତି ଜୟପୁରର ୧୯ ଜଣ କିନ୍ନର, ଶିକ୍ଷାଗତ ଯୋଗ୍ୟତା ଆଳରେ ଡାକ୍ତରଖାନରୁ ସିକ୍ୟୁରିଟି ଗାର୍ଡ ଚାକିରିରୁ ଛଟେଇ କରିଛି ପ୍ରଶାସନ

566

କନକ ବ୍ୟୁରୋ : ଚାକିରି ହରାଇବା ପରେ ପୁରୁଣା ବେଉସାକୁ ଫେରିବାକୁ ବାଧ୍ୟ ହେଉଥିଲେ ବି ତାଳି ମାରିଲେ ଆଉ ମିଳୁନି ଭିକ । ବଞ୍ଚିବାକୁ ଦିଅ ନଚେତ୍ ଇଛାମୃତ୍ୟୁ ପାଇଁ ଅଧିକାର ଦିଅ ବୋଲି ଦାବି କରୁଛନ୍ତି ଜୟପୁରର ୧୯ ଜଣ କିନ୍ନର । ଆଉ ସେମାନଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଶୀଘ୍ର ସେମାନଙ୍କ ନିଯୁକ୍ତି ଫେରାଅ ନଚେତ ରାଜ୍ୟର ସମସ୍ତ କିନ୍ନରଙ୍କୁ ନେଇ ନିର୍ଦ୍ଦେଶକଙ୍କ ଅଫିସ ଓ ଆବାସ ଭିତରେ ପଶିବୁ କାହାରିକୁ ବାହାରିବାକୁ ଦେବୁ ନାହିଁ ।

୨ ବର୍ଷ ତଳେ ଜୟପୁରର ୧୯ ଜଣ କିନ୍ନରଙ୍କୁ ରୋଜଗାରର ନୂଆ ରାହା ଦେଖାଇ ରାଜ୍ୟରେ ସମସ୍ତଙ୍କ ନଜରକୁ ଆସିଥିଲା କୋରାପୁଟ ଜିଲ୍ଳା ପ୍ରଶାସନ । କିନ୍ନରଙ୍କୁ ସ୍ୱତନ୍ତ୍ର ତାଲିମ୍ ଦେଇ ଜୟପୁର ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ଼ ନିଯୁକ୍ତି ଦେଇଥିଲା ପ୍ରଶାସନ । ମାସିକ ୭୨୦୦ ଟଙ୍କା ପାଇଁ କିନ୍ନରମାନେ ଖୁବ୍ ଖୁସିରେ ଦିନ କାଟୁଥିଲେ । ଚାକିରି ଓ ଘର ଡିହ ପଟ୍ଟା ପାଇବା ପରେ କିନ୍ନରମାନେ ନୂଆ ଜୀବନ ଆରମ୍ଭ କରିବାକୁ ଅଣ୍ଟା ସଳଖୁଥିଲେ । ହେଲେ ହଠାତ ଶିକ୍ଷାଗତ ଯୋଗ୍ୟତା ଆଳରେ ସେମାନଙ୍କୁ ଚାକିରିରୁ ଛଟେଇ କରିଦେଇଛି ପ୍ରଶାସନ । ଛଟେଇ ପରେ ତାଳି ମାରିଲେ ବି ଟଙ୍କା ମିଳୁନଥିବାରୁ କେମିତି ବଂଚିବେ ବୋଲି ପ୍ରଶ୍ନ କରିଛନ୍ତି କିନ୍ନର । ସରକାର ଚାକିରି ଦିଅନ୍ତୁ ନଚେତ୍ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଜୟପୁର କିନ୍ନର ସଂଘ ।

ପୂର୍ବରୁ କିଏ ଟ୍ରେନରେ ତାଳି ମାରୁଥିଲା ତ କିଏ ସହରରେ ନାଚଗୀତ କରି ପଇସା ମାଗୁଥିଲେ । ଏସବୁ ବନ୍ଦ କିରିବା ସହ କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୋରାପୁଟ ଜିଲ୍ଳା ପ୍ରଶାସନ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ଦିଆ ଯାଇଥିଲା । ହଠାତ ଛଟେଇ କରି ଦେବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସ୍ୱେଚ୍ଛାସେବୀ । ସେପଟେ ଜୟପୁର ବିଧାୟକ କହିଛନ୍ତି ଏନ୍ଆରଏଚ୍ଏମ୍ର ନିର୍ଦେଶକ କିନ୍ନରମାନଙ୍କୁ ପୁନଃ ନିଯୁକ୍ତି ଦିଅନ୍ତୁ । ନଚେତ୍ ସମସ୍ତ କିନ୍ନରଙ୍କୁ ନେଇ ଜିଲ୍ଳାପାଳ ଅଫିସରେ ପଶିବା ସହ ଭୁବନେଶ୍ୱର ସ୍ଥିତ ଏନ୍ଆରଏଚ୍ଏମ୍ ନିର୍ଦେଶକଙ୍କ ବାସଭବନ ଓ ଅଫିସରେ ଧସେଇ ପଶିବେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଛଟେଇ କରିବାର ଥିଲା ଯଦି ପ୍ରଶାସନ ନିଯୁକ୍ତି ଦେଉଥିଲା କାହିଁକି?
ନିଯୁକ୍ତି ଦେବା ଆଗରୁ ପ୍ରଶାସନ କିନ୍ନରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଂଚ କରିନଥିଲା କାହିଁକି?
ଏବେ ଶିକ୍ଷାଗତ ଆଳରେ କିନ୍ନରଙ୍କୁ ଚାକିରିରୁ କାଢ଼ି ଦେବା କେତେ ଯଥାର୍ଥ?
ଧର୍ମକୁ ଆଖି ଠାର କରି ପ୍ରଶାସନ କରିଥିବା ନିୟମ ଆଗରେ କିନ୍ନର ମାନେ ତ ଛଟେଇ ହୋଇଗଲେ, ହେଲେ ଆଗକୁ ସେମାନଙ୍କ ଭବିଷ୍ୟତ କଣ ହେବ ତାହା ଏକ ବଡ଼ ପ୍ରଶ୍ନ ।