ଆଗାମୀ ୬ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ! ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଜାରି ହେଲା କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ।

631

କନକ ବ୍ୟୁରୋ : ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ମତ୍ସ୍ୟଜୀବୀଙ୍କ ପାଇଁ ଗତ ୧ ତାରିଖରୁ ମେ’ ୩୧ ତାରିଖ ଯାଏ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଗୋଟିଏ ପଟେ କଇଁଛଙ୍କ ସୁରକ୍ଷା ପାଇଁ ସରକାର ଉଚିତ ପଦକ୍ଷେପ ନେଇଥିବା ବେଳେ ଅନ୍ୟପଟେ ଛଅମାସର ଏହି କଟକଣାକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ ।

ପାରାଦୀପରେ ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ାଇଛି ରାଜ୍ୟ ସରକାରଙ୍କ କଟକଣା । ନଭେମ୍ବର ପହିଲାରୁ ମେ’ ୩୧ ଯାଏଁ ସମୁଦ୍ରରେ ମାଛ ଧରିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଆଶା ଆଶଙ୍କାରେ ମତ୍ସ୍ୟଜୀବୀ । ଦେବୀ, ଋଷିକୂଲ୍ୟା ଓ ବରୁଣେଇ ମୁହାଣର ୨୦ କିଲୋମିଟର ଭିତରେ କୌଣସି ଟ୍ରଲର କିମ୍ବା ଯନ୍ତ୍ରଚାଳିତ ଡଙ୍ଗା ବ୍ୟବହାର କରିପାରିବେନି ମତ୍ସ୍ୟଜୀବୀ । ଫଳରେ ୫୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପ୍ରଭାବିତ ହେଉଛନ୍ତି । ୬୫୦ରୁ ଅଧିକ ଟ୍ରଲର ଓ ୩ ଶହରୁ ଅଧିକ ଡଙ୍ଗା ସମୁଦ୍ର କୂଳରେ ପଡ଼ିରହିଛି । ଆଉ ପେଟପାଟଣାକୁ ନେଇ ମତ୍ସ୍ୟଜୀବୀଙ୍କ ପରିବାରରେ ଭାଳେଣୀ ପଡିଛି ।

ଏହି କଟକଣା ଯୋଗୁ ମତ୍ସ୍ୟଜୀବୀମାନେ ବରୁଣାଇ ମୁହାଣ ଦେଇ ଯାଉଥିବାରୁ ଅଧିକ କ୍ଷତି ସହିବା ସହ ଗିରଫ ଭୟ ରହିଛି । ତେଣୁ ସରକାର ଏହି କଟକଣାକୁ ୨୦ କିଲୋମିଟର ପରିବର୍ତ୍ତେ ୧୦ କିଲୋମିଟର କରିବା ଓ ବରୁଣାଇ ମୁହାଣରେ ନୂଆ ମୁହାଣ ଚିହ୍ନଟ କରିବାକୁ ଦାବି କରିଛି ମତ୍ସ୍ୟଜୀବୀ ସଂଘ । ପ୍ରତିବର୍ଷ ଅଲିଭରିଡଲେ କଇଁଛଙ୍କ ପାଇଁ ୬ ମାସ ଓ ମାଛମାନଙ୍କ ବଂଶବୃଦ୍ଧି ପାଇଁ ୨ ମାସ ସରକାର କଟକଣା ଜାରି କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ମତ୍ସ୍ୟଜୀବୀ କିପରି ମାଛ ଧରି ନିଜ ଗୁଜୁରାଣ ମେଂଟାଇବେ ତାହା ହିଁ ବଡ ପ୍ରଶ୍ନ ।