ଚାକିରି ଛାଡି ଚାଷ ପ୍ରେମରେ ଯୁବ ଇଂଜିନିୟର । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ଅନ୍ୟଙ୍କୁ ରୋଜଗାର ଦେଉଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଲାଭ ବି କରୁଛନ୍ତି ।

931

କନକ ବ୍ୟୁରୋ : ଲକ୍ଷାଧିକ ଟଙ୍କାର ଚାକିରି ଛାଡି ଚାଷ ପାଇଁ ମନ ବଳାଇଛନ୍ତି ଯୁବ ଇଂଜିନିୟର । ସମ୍ବଲପୁର ବୁର୍ଲାସ୍ଥିତ ଗୋଲକୁଣ୍ଡା ଗାଁର ସୌରଭ ସାମନ୍ତରାୟ ଲକ୍ଷେ କୋଡିଏ ହଜାର ଟଙ୍କାର ମାସିକ ଦରମା ଚାକିରି ଛାଡି କରୁଛନ୍ତି ମାଛ ଚାଷ । ଇଣ୍ଡୋନେସିଆରୁ ପ୍ରଶିକ୍ଷଣ ନେଇ ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ କରୁଛନ୍ତି ସୌରଭ ।

ଚାକିରି ଛାଡି ଚାଷ ପ୍ରେମରେ ଯୁବ ଇଂଜିନିୟର । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ଉଚ୍ଚ ଶିକ୍ଷିତ କମ୍ପ୍ୟୁଟର ଇଂଜିନିୟର ସୌରଭ ସାମନ୍ତରାୟ । ବାଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ ସୌରଭ । ହେଲେ ଚାକିରୀ ଅପେକ୍ଷା ଚାଷରେ ଅଧିକ ରୋଜଗାର କରି ହେବ । ଏହି ଆଶାରେ ଚାକିରି ଛାଡି ବାଙ୍ଗାଲୁରୁରୁ ବୁର୍ଲା ଚାଲିଆସିଥିଲେ ସୌରଭ ।

କେରଳର ଜଣେ ବନ୍ଧୁଙ୍କର ପରାମର୍ଶକ୍ରମେ ଇଣ୍ଡୋନେସିଆରୁ ବାଓଫ୍ଲକ ପ୍ରଣାଳୀରେ ମାଛ ଚାଷର କୌଶଳ ଶିଖିଛନ୍ତି ସୌରଭ । ଏହାପରେ ନିଜର ପୈତୃକ ଜମିରେ ୬ଟି ପାଣି କୁଣ୍ଡ ତିଆରି କରି ମାଛ ଚାଷ କରୁଛନ୍ତି ସୌରଭ । ୪ ପ୍ରକାରର ମାଛ ଯାଆଁଳ ଛଡାଯାଉଥିବା ବେଳେ ଗୋଟିଏ କୁଣ୍ଡରେ ୧ କ୍ୱିଂଟାଲ ମାଛ ଚାଷ କରାଯାଉଛି । କୋଲକାତା ଓ ଭୁବନେଶ୍ୱର ବଜାରକୁ ନଜରରେ ରଖି ବିଭିନ୍ନ ପ୍ରଜାତିର ମାଛ ଚାଷ କରାଯାଉଛି । ୭ ମାସରେ ମାଛ ଗୁଡିକ ୧ କେଜିର ହେବା ପରେ ବିକ୍ରି ପାଇଁ ବଜାରକୁ ପଠାଯାଉଛି ।

ବାଓଫ୍ଲକ ପ୍ରଣାଳୀରେ ମାଛ ଚାଷ କରି ୪ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ଯୁବ ଇଂଜିନିୟର ସୌରଭ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ପ୍ରଣାଳୀରେ ମାଛ ଚାଷ ଦ୍ୱାରା ମାଛ ଦାନା କମ ଖର୍ଚ୍ଚ ହୋଇଥାଏ । ରସାୟନିକ ପଦାର୍ଥର ବ୍ୟବହାର କରି ମାଛର ମଳକୁ ପାଣିରେ ମାଛ ଖାଦ୍ୟ ରୂପେ ପରିଣତ କରାଯାଇଥାଏ । ୬ଟି କୁଣ୍ଡରେ ମାଛ ଚାଷ ପାଇଁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ କୁଣ୍ଡରୁ ୮୦ ହଜାର ଟଙ୍କାର ମାଛ ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି ସୌରଭ । ସବୁ ଖର୍ଚ୍ଚ ଯାଇ ଗୋଟିଏ କୁଣ୍ଡରୁ ୪୦ ହଜାର ଟଙ୍କାର ଲାଭ ମିଳିବ ବୋଲି ଆଶା କରାଯାଉଛି ।