ବାତ୍ୟା: ପଶ୍ଚିମବଙ୍ଗ ଲ୍ୟାଣ୍ଡଫଲ, ଓଡ଼ିଶାରେ ବର୍ଷା ; ୨୪ ଓ ୨୫ରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

216

କନକ ବ୍ୟୁରୋ : ପାଣିପାଗ ବିଭାଗର ପୂର୍ବାନୁମାନ, ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ସିତ୍ରାଙ୍ଗ । ଆଇଏମଡି ଜାରି କରିଥିବା ଗତିପଥ ଅନୁସାରେ ଓଡ଼ିଶା ଉପକୂଳରୁ ପ୍ରାୟ ୨ଶହ କିଲୋମିଟର ଦୂରରେ ରହି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁହେବ ବାତ୍ୟା ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ଏବଂ ୨୪ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୨୫ତାରିଖ ଅପରାହ୍ନରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନଥିବାରୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ମଝି ସମୁଦ୍ର ସମେତ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ଝଡ଼ ପବନର ବେଗ ଘଣ୍ଟାପ୍ରତି ୩୫ କିମିରୁ ୪୫ କିମି ରହିବ । ଏହି ସମୟରେ ଘଣ୍ଟା ପ୍ରତି ୫୫କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ । ଓଡ଼ିଶା ଉପରେ ବିଶେଷ ନ ରହିଲେ ମଧ୍ୟ ଉପକୂଳ ଜିଲ୍ଲାଗୁଡ଼ିକର କିଛି କିଛି ଅଞ୍ଚଳରେ ବର୍ଷା ହେବ । ୨୪ ତାରିଖରୁ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ବିଶେ‌ଷକରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ୭୦ରୁ ୧୧୦ ମିମି ବର୍ଷା ହୋଇପାରେ ।

ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ କିମି ଓ ସର୍ବାଧିକ ୬୫ କିମି ରହିବ। ସେହିଭଳି ୨୫ତାରିଖ ଦିନ ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଦିନ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲ‌ାରେ ମଧ୍ୟ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ପବନର ବେଗ ଉପକୂଳ‌ ଓ ସଂଲଗ୍ନ ଅଞ୍ଚଳରେ ୫୦ରୁ ୬୦ କିମି ଓ ସର୍ବାଧିକ ୭୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି ।