ପୁଣି ଉପରକୁ ଉଠିଲେ ଅଦାନୀ । ଧନୀ ତାଲିକାରେ ମାରିଲେ ଲମ୍ବା ଲମ୍ଫ । ୧୨ଟି ସ୍ଥାନ ଉପରକୁ ଉଠିଲେ ଅଦାନୀ ।

241

କନକ ବ୍ୟୁରୋ: ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ବିଶ୍ୱ ଧନୀ ତାଲିକା ଲିଷ୍ଟରେ ପୁଣିଥରେ ଉପରକୁ ଉଠିଛନ୍ତି । ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ, ଏବେ ତାଙ୍କ ସ୍ଥିତି ପୁଣିଥରେ ସୁଧୁରିବା ଆରମ୍ଭ କରିଛି । ତେବେ ୩୪ ତମ ସ୍ଥାନରେ ଥିବା ଅଦାନୀ ଏବେ ନୂଆ ତାଲିକା ଅନୁସାରେ ୨୨ ନମ୍ବର ସ୍ଥାନରେ ଅଛନ୍ତି ।

ବ୍ଲମବର୍ଗ ରିପୋର୍ଟ ଅନୁସାରେ, ଗୌତମ ଅଦାନୀଙ୍କ ସମ୍ପତ୍ତି ୫୪ ଅରବ ଡଲାର ବୃଦ୍ଧି ପାଇଛି । ଗତ ଗୋଟିଏ ସପ୍ତାହ ଭିତରେ ଏହି ସମ୍ପତ୍ତି ବୃଦ୍ଧି ପାଇଛି । ତେବେ ନେଟୱର୍ଥ ବୃଦ୍ଧି ପାଇବା କାରଣରୁ ଧନୀ ତାଲିକାରେ ବି ସେ ଉପରକୁ ଉଠିଛନ୍ତି ।

ଜାଣିରଖିବା ଉଚିତ୍ ଯେ, ସେୟାର ଲଗାତାର ହ୍ରାସ ପାଇବା କାରଣରୁ ଅଦାନୀ ଗତ ମାସରେ ଧନୀ ତାଲିକାର ୩୪ ନମ୍ବର ସ୍ଥାନକୁ ଖସି ଆସିଥିଲେ । ହେଲେ ଗୋଟିଏ ସପ୍ତାହ ଭିତରେ ସେ ଏହି ତାଲିକାର ୧୨ଟି ସ୍ଥାନ ଉପରକୁ ଉଠିଛନ୍ତି । ଏବେ ସେ ଧନୀ ତାଲିକାର ୨୨ ନମ୍ବର ସ୍ଥାନରେ ଥିବାବେଳେ, ତାଙ୍କ ସମ୍ପତ୍ତିର ପରିମାଣ ୫୪ ଅରବ ଡଲାର ରହିଛି ।

ଜାନୁଆରୀ ୨୪ ତାରିଖରେ ଆମେରିକାର ରସର୍ଚ୍ଚ ଫର୍ମ ହିଣ୍ଡନବର୍ଗ ଆଦାନୀ ଗ୍ରୁପକୁ ନେଇ ରିପୋର୍ଟ ପ୍ରକାଶ କରିଥିଲା । ଆଦାନୀ ଗ୍ରୁପକୁ ଏହାକୁ ଖଣ୍ଡନ କରୁଥିବାବେଳେ, ସେୟାର ମାର୍କେଟରେ କିନ୍ତୁ ଆଦାନୀର ସେୟାର ହ୍ରାସ ପାଇଥିଲା । ବର୍ତ୍ତମାନ ଅଦାନୀଙ୍କ ସମ୍ପତ୍ତି ପୁଣି ବୃଦ୍ଧି ପାଇବା ସହିତ ଧନୀ ତାଲିକାର ସେ ଉପରକୁ ଉଠିଛନ୍ତି ।