ବିଲାତିର ଦାମ ସ୍ଥିରକଲେ ସରକାର, ଜାଣନ୍ତୁ କେଜି ପ୍ରତି କେତେ ଦାମରେ ବିକ୍ରି ହେବ ବିଲାତି

29,132

କନକ ବ୍ୟୁରୋ : ଦେଶରେ କିଛିଦିନ ହେବ ପନିପରିବାର ଦାମ ଅହେତୁକ ଭାବେ ବୃଦ୍ଧି ପାଉଛି । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି । ସେପଟେ ପରିବା ଦରବୃଦ୍ଧିକୁ ବିରୋଧୀମାନେ ଏକ ପ୍ରସଙ୍ଗ କରି ସରକାରଙ୍କୁ ଘେରୁଥିବା ବେଳେ ପରିବା ମଧ୍ୟରେ ସର୍ବାଧିକ ଦର ବୃଦ୍ଧି ହୋଇଥିବା ବିଲାତିର ସର୍ବାଧିକ ବିକ୍ରୟମୂଲ୍ୟ ସ୍ଥିର କରିଛନ୍ତି । କେନ୍ଦ୍ର ସରକାର ରବିବାର ଠାରୁ ବିଲାତିର ସର୍ବାଧିକ ବିକ୍ରୟ ମୂଲ୍ୟ କିଲୋପ୍ରତି ୮୦ ଟଙ୍କା ସ୍ଥିର କରିଛନ୍ତି    ।

ନ୍ୟାସନାଲ କୋ ଅପରେଟିଭ କଞ୍ଜ୍ୟୁମର ଫେଡରେସନ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ ଏଗ୍ରିକଲଚର କୋ ଅପରେଟିଭ ମାର୍କେଟିଂ ଫେଡରେସନ ଅଫ୍ ଇଣ୍ଡିଆ ମାଧ୍ୟମରେ ଦିଲ୍ଲୀ, ନୋଇଡା, ଲକ୍ଷ୍ନୌ, କାନପୁର, ବାରଣାସୀ, ପାଟନା, ମୁଜଫରପୁର ଓ ଆରାରେ ଆଜିଠାରୁ ବିଲାତି କିଲୋପ୍ରତି ୮୦ ଟଙ୍କାରେ ବିକ୍ରି କରିବା ଆରମ୍ଭ କରାଯାଇଛି ।

ଆସନ୍ତା କାଲି ଅର୍ଥାତ ସୋମବାର ଠାରୁ ଦେଶର ଅନ୍ୟ ସହର ଗୋଡିକରେ ଖାଉଟିଙ୍କୁ ବିଲାତି କିଲୋପ୍ରତି ୮୦ ଟଙ୍କାରେ ଯୋଗାଇ ଦିଆଯିବ । ସରକାରୀ ହିସାବ ମୁତାବକ ଦେଶରେ ଏବେ ବିଲାତିର କିଲୋପ୍ରତି ହାରାହାରି ମୂଲ୍ୟ ୧୧୭ ଟଙ୍କା ରହିଛି ।

ସେପଟେ ଦିଲ୍ଲୀ ଏନସିଆରରେ ଶୁକ୍ରବାର ଦିନ ୯୦ ଟଙ୍କା କିଲୋପ୍ରତି ଟମାଟୋ ବିକ୍ରି ହୋଇଛି । ମୋବାଇଲ ଭ୍ୟାନ ମାଧ୍ୟମରେ ୯୦ ଟଙ୍କା କିଲୋପ୍ରତି ୧୮ ହଜାର କିଲୋ ଟମାଟୋ ବିକ୍ରି ହୋଇଛି । ହେଲେ ସାଧାରଣ ବଜାରରେ ବିଲାତି ଦିଲ୍ଲୀରେ କିଲୋପ୍ରତି ୧୭୮ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସେହିଭଳି ମୁମ୍ବାଇରେ ୧୫୦ ଟଙ୍କା, ଚେନ୍ନାଇରେ ୧୩୨ଟଙ୍କା କିଲୋପ୍ରତି ବିକ୍ରି ହେଉଛି ।

କହିରଖୁ କି ଦେଶରେ ୨୦୨୧-୨୨ ରେ ୨ କୋଟି ଟନରୁ ଅଧିକ ବିଲାତି ଉତ୍ପାଦନ ହୋଇଥିଲା । ବିଶେଷ କରି ଚାଷୀଭାଇମାନେ ଦୁଇପ୍ରକାରର ବିଲାତି ଉତ୍ପାଦନ କରୁଛନ୍ତି । ଗୋଟିଏ ଦେଶୀ ପ୍ରଜାତିର ଓ ଅନ୍ୟଟି ହାଇବ୍ରିଡ ପ୍ରଜାତିର । ଦେଶରେ ସବୁଠାରୁ ଅଧିକ ଟମାଟୋ ମଧ୍ୟପ୍ରଦେଶର ଚାଷୀମାନେ ଉତ୍ପାଦନ କରିଥାନ୍ତି । ଏହା ତଳକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଓଡିଶାର ଚାଷୀ ।