ଟମାଟୋ ଦର ଆକାଶ ଛୁଆଁ: କିଲୋ ପିଛା ଦର ୧୦୦ ଟଙ୍କା

392

କନକ ବ୍ୟୁରୋ: ହଠାତ୍ ଟମାଟୋ ଦର ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ପରେ ଏବେ ଗ୍ରାହକ କିଣିବାକୁ ପଛଘୁଂଚା ଦେଉଥିବା ବେଳେ ନନେଲେ ବି ଚଳିବନି ଚିନ୍ତା କରି ଅଳ୍ପ କିଣୁଛନ୍ତି । ଅନ୍ୟପଟେ ଦର ବୃଦ୍ଧି ପଛରେ ରୋଗପୋକ ବୋଲି ବ୍ୟବସାୟୀ କହିଛନ୍ତି ।

ତରକାରୀ, ଡାଲମାକୁ ସୁଆଦିଆ କରୁଥିବା ଟମାଟୋର ଦର ଶୁଣି ଏବେ ଡର ଲାଗୁଛି । ସପ୍ତାହେ ତଳେ ମାତ୍ର ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଦର ଏବେ ଶହେ ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଛି । କଟକରେ ଟମାଟୋ ୮୦ ଟଙ୍କା ଛୁଇଁଛି । ଅଚାନକ ଟମାଟୋ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିଛି ।

ଟମାଟୋ ଦର ବୃଦ୍ଧି କେବଳ ଖାଉଟିଙ୍କ ଉପରେ ପଡିଛି ତାହା ନୁହେଁ । ବ୍ୟବସାୟୀଙ୍କୁ ବି ପ୍ରଭାବିତ କରିଛି । ଆଗରୁ ଯେତିକି ବିକ୍ରି ହେଉଥିଲା, ସେମିତି ଆଉ ବିକ୍ରି ହେଉନଥିବା କହିଛନ୍ତି ବ୍ୟବସାୟୀ । ତେବେ ଚଢ଼ା ଦାମରେ କିଣୁଥିବାରୁ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି ବୋଲି ପରିବା ବ୍ୟବସାୟୀ କହିଛନ୍ତି ।

ବ୍ୟବସାୟୀ ସଂଘର ସଭାପତି କହିଛନ୍ତି, ଆବଶ୍ୟକ ପରିମାଣର ଟମାଟୋ ବଜାରକୁ ଆସୁନଥିବାରୁ ଟମାଟୋ ଦର ବଢ଼ୁଛି । ବେଙ୍ଗାଲୁର ଓ ନାଶିକରେ ଉତ୍ପାଦନ ହ୍ରାସ ପାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ଗତ ଦୁଇ ମାସ ତଳେ ରାଜ୍ୟର ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ । ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ । ଆଉ ଏବେ ଟମାଟୋ ଦର ଶହେ ଟପିବା କେଉଁଠି ନା କେଉଁଠି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।