ସାରା ରାଜ୍ୟରେ ଆଜିଠାରୁ ବଢିବ ଶୀତର ପ୍ରକୋପ : ଦିଲ୍ଲୀ ପ୍ରଦୂଷଣର ପ୍ରଭାବ ଦେଖିବାକୁ ମିଳିଛି ଓଡିଶାରେ !
ଦିଲ୍ଲୀରେ ଭୀଷଣ ବାୟୁ ପ୍ରଦୂଷଣର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି
କନକ ବ୍ୟୁରୋ : ଦିଲ୍ଲୀରେ ଭୀଷଣ ବାୟୁ ପ୍ରଦୂଷଣର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ଫଳରେ ବିଳମ୍ବିତ ହୋଇଛି ଶୀତର ଆଗମନ। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ଓ ଶୁଖିଲା ପବନ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି। ଏହା ଫଳରେ ଦିନେ ଦୁଇଦିନ ଭିତରେ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ନଭେମ୍ବର ମାସର ପ୍ରଥମ ସପ୍ତାହରୁ କେବଳ ପଶ୍ଚିମାଞ୍ଚଳ ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଅନୁଭୂତ ହେବା କଥା। କିନ୍ତୁ ଚଳିତ ବର୍ଷ ପଶ୍ଚିମାଞ୍ଚଳକୁ ଛାଡ଼ିଦେଲେ ଅବଶିଷ୍ଟ ସ୍ଥାନକୁ ଶୀତ ଛୁଇଁନାହିଁ। ବରଂ ଗରମ ଅନୁଭୂତ ହେଉଛି। ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ଅଧିକ ରହୁଛି। ଦିଲ୍ଲୀ ଏବଂ କ୍ୟାପିଟାଲ୍ ଅଞ୍ଚଳ(ଏନ୍ସିଆରରେ) ସୃଷ୍ଟି ହୋଇଥିବା ଭୀଷଣ ପ୍ରଦୂଷଣର ପ୍ରଭାବ କେନ୍ଦ୍ରୀୟ ଭାରତ ଦେଇ ଓଡ଼ିଶା ପର୍ଯ୍ୟନ୍ତ ଅନୁଭୂତ ହେଉଛି। ପାଣିପାଗବିତ୍ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏଭଳି କୋହଲା ପାଗ ଆହୁରି ଦିନେ ଦୁଇଦିନ ଲାଗି ରହିବ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହିତ ଉତ୍ତର ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଖିଲା ପବନ ଯୋଗୁଁ ଆଜିଠାରୁ ଉପକୂଳ ଅଞ୍ଚଳରେ ବି ଶୀତ ଅନୁଭୂତ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଥଣ୍ଡାର ପ୍ରଭାବ ଜାରି ରହିବ। ପଶ୍ଚିମାଞ୍ଚଳରେ ଅଧିକ ଓ ଉପକୂଳରେ ମୃଦୁ ଶୀତ ରହିବ। ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ସେ ପଟେ ଚୀନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଣ୍ଡାମାନ ସାଗର ବା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଆଡ଼କୁ ଆସିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। କିନ୍ତୁ ଏହା କେଉଁ ଆଡ଼କୁ ଗତି କରିବ ତାହା ସ୍ପଷ୍ଟ ହୋଇନାହିଁ। ଓଡ଼ିଶା ଉପକୂଳର ନିକଟତର ହେଲେ ୧୩ ତାରିଖ ବେଳକୁ ଉପକୂଳର କିଛି ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହୋଇପାରେ। ତେବେ ଲଘୁଚାପର ରୂପରେଖ ଦିନେ ଦୁଇଦିନ ଭିତରେ ସ୍ପଷ୍ଟ ହେବ ବୋଲି ଡ. ସାହୁ କହିଛନ୍ତି।