ହକି ବିଶ୍ୱକପ ମ୍ୟାଚକୁ ନେଇ ଛକରେ ଖଟି : ଭିଭିଆଇପି ଦେଖିବେ ଷ୍ଟାଡିୟମରେ, ସାଧାରଣ ଲୋକ ଦେଖିବେ ଟିଭିରେ ! 

ଭିଭିଆଇପି ହେଲେ ଷ୍ଟାଡିୟମରେ ବସି ଖେଳ ଦେଖିବ, ସାଧାରଣ ଲୋକ ହେଲେ କାଉଣ୍ଟରରୁ ଟିକେଟ ନ ପାଇ ଖାଲି ହାତରେ ଫେରିବ । 

221

କନକ ବ୍ୟୁରୋ : ବିଶ୍ୱକପ ହକିର ମ୍ୟାଚ ଦେଖିବାକୁ ହେଲେ ଭିଆଇପି କିମ୍ବା ଭିଭିଆଇପି ହେବାକୁ ପଡିବ । ରାଜଧାନୀରେ ଏଭଳି ଏକ ଚର୍ଚ୍ଚା ଜୋର ଧରିଛି । ଚାହା ଖଟି ଠାରୁ ଆରମ୍ଭ କରି କର୍ପୋରେଟ ହାଉସର ଏସି ରୁମ ପର୍ଯ୍ୟନ୍ତ ସବୁଆଡେ ଏବେ ହକି ବିଶ୍ୱକପ ପାଲଟିଛି ହଟ୍ ଟପିକ ।  କାରଣ ହକି ବିଶ୍ୱକପ ଭଳି ବିଶ୍ୱସ୍ତରୀୟ ଇଭେଣ୍ଟ ଦେଖିବାର ଭାଗ୍ୟ ସାଧାରଣ ଲୋକଙ୍କର ବୋଧହୁଏ ନାହିଁ ଏଭଳି ଏକ ଧାରଣା ଏବେ ସୃଷ୍ଟି ହୋଇଛି ।

ଭିଭିଆଇପି ଦେଖିବେ ଷ୍ଟାଡିୟମରେ ,ସାଧାରଣ ଲୋକ ଦେଖିବେ ଟିଭିରେ । ହକି ବିଶ୍ୱକପ ମ୍ୟାଚ ପାଇଁ ଟିକେଟ ବିକ୍ରି ହେବା ଦିନଠାରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । କଳିଙ୍ଗ ଷ୍ଟାଡିୟମର ଫ୍ଲଡ ଲାଇଟରେ ବସି ଭାରତ ମ୍ୟାଚ ଉପଭୋଗ କରିବାର ସାଧାରଣ ଲୋକଙ୍କର ଯେଉଁ ଆଶା ଥିଲା ତାହା ଟିକେଟ ବିକ୍ରି ହେବା ସହ ମଉଳି ଯାଇଛି । ନିଜ ପ୍ରିୟ ଖେଳାଳୀଙ୍କ ଖେଳ ଅତି ପାଖରୁ ଉପଭୋଗ କରିବାକୁ ସାଧାରଣ ଲୋକେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଭାଙ୍ଗି ଚୁରମାର ହୋଇଛି । କାରଣ ଘଣ୍ଟା ଘଣ୍ଟା ଧରି ଟିକେଟ କାଉଣ୍ଟରରେ ଛିଡା ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଖାଲି ହାତରେ ଫେରିବାକୁ ପଡିଛି । ଟିକେଟ ବିକ୍ରି ହେବାର ଅଧ ଘଣ୍ଟାଏ ମଧ୍ୟରେ ଭାରତ ଖେଳିବାକୁ ଥିବା ସମସ୍ତ ମ୍ୟାଚର ଟିକେଟ ସରିଯାଇଥିବା କାଉଣ୍ଟରୁ ଉତ୍ତର ମିଳିବା ପରେ ହକି ପ୍ରେମୀ ନିରାଶ ହେବା ସହ ଏତେ ଟିକେଟ କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ।

କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ ବରଂ ଅନ୍ୟ ଆଉଟଲେଟରେ ବିକ୍ରି ପାଇଁ ଦିଆଯାଇଥିବା ଟିକେଟର କଳାବଜାରୀ ହୋଇଥିବା ଶୁଣିବାକୁ ମିଳୁଛି । ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ ମଧ୍ୟ ଆଉଟଲେଟର ମାଲିକ ମାନେ ନିଜ ଚିହ୍ନା ଜଣା ଲୋକଙ୍କୁ ଟିକେଟ ଦେଇଥିବା ଚର୍ଚ୍ଚା ହେଉଛି । ଏପରିକି ଜଣକୁ ଜଣକୁ ୫ରୁ ୧୦ଟି ଟିକେଟ ଦିଆଯାଇଥିବା ବେଳେ ଅନ୍ୟ ମାନଙ୍କୁ ଗୋଟିଏ ବି ମିଳିନାହିଁ ବୋଲି ଲୋକେ କହୁଛନ୍ତି । ଗୋଟିଏ ପଟେ ସାଧାରଣ ଲୋକଙ୍କ ପାଇଁ କେତେ ଟିକେଟ ବିକ୍ରି ହେବ ସେନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ ଅନ୍ୟପଟେ କାଉଣ୍ଟରେ ମାତ୍ର ୧୦୦୦ରୁ ୨୦୦୦ ଟିକେଟ ବିକ୍ରି ହୋଇଥିବା ଶୁଣିବାକୁ ମିଳୁଛି ।

ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମର ନବକଳେବର ହୋଇଛି । ଏପରିକି ୧୫୦୦୦ ଦର୍ଶକ ଏକାଥରକେ ବସି ମ୍ୟାଚ ଉପଭୋଗ କରିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ପଶ୍ଚିମ ଗ୍ୟାଲେରୀର ସମ୍ପୂର୍ଣ୍ଣ ସିଟକୁ ଭିଆଇପି/ଭିଭିଆଇପି ମାନଙ୍କ ପାଇଁ ରିଜର୍ଭ ରଖାଯାଇଥିବା ଶୁଣିବାକୁ ମିଳୁଛି । ତେଣୁ ପାଖାପାଖି ଆହୁରି ୧୦୦୦୦ରୁ ୧୧୦୦୦ ଟିକେଟ ସାଧାରଣ ଦର୍ଶକଙ୍କ ବିକ୍ରି ପାଇଁ ରହିବା କଥା । ଏହା ଭିତରୁ ଅନଲାଇନରେ କିଛି ଟିକେଟ ପୂର୍ବରୁ ବିକ୍ରି ହୋଇସାରିଛି । ତେବେ ଅଫଲାଇନରେ କେତେ ଟିକେଟ ବିକ୍ରି ହେବ ସେନେଇ କୌଣସି ସୂଚନା ଦିଆନଯାଇ କାଉଣ୍ଟରରେ ଭାରତ ମ୍ୟାଚର ମାତ୍ର ୧୦୦୦ରୁ ୨୦୦୦ ଟିକେଟ ବିକ୍ରି ହୋଇଥିବା ଚର୍ଚ୍ଚା ହେଉଛି । ଯାହା ସାଧାରଣ ଲୋକଙ୍କ ମନରେ ସନ୍ଦେହ ବଢାଇଛି । କାଳେ ଏହି ସିଟ୍ ଗୁଡିକୁ ପାସ୍ ଆକାରରେ ବାଣ୍ଟିବାକୁ ଯୋଜନା କରାଯାଉଛି ବୋଲି ଚର୍ଚ୍ଚା ହେଉଛି ।

ଏହାଛଡା ସାଧାରଣ ଲୋକେ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ମଧ୍ୟ ଯେତେବେଳେ ଟିକେଟ ପାଉନାହାନ୍ତି ସେତେବେଳେ ଭିଭିଆଇପିଙ୍କ ପାଇଁ ପଶ୍ଚିମ ଗ୍ୟାଲେରୀ ରିଜର୍ଭ ରଖିବାକୁ ନାପସନ୍ଦ କରିଛନ୍ତି ହକି ପ୍ରେମୀ । ରାଜ୍ୟବାସୀଙ୍କ ଟଙ୍କାରେ ଯେତେବେଳେ ଏତେବଡ କ୍ରୀଡା ମହାକୁମ୍ଭ ଆୟୋଜନ କରାଯାଉଛି ସେତେବେଳେ ସାଧାରଣ ଲୋକଙ୍କ ପାଇଁ ଏତେ କମ ଟିକେଟ ବିକ୍ରି କରିବାକୁ କାହିଁକି ରଖାଗଲା ତାହାକୁ ନେଇ ପ୍ରତି ଛକରେ ଜୋରଦାର ଆଲୋଚନା ହେଉଛି । ହକି ମ୍ୟାଚ ସାଧାରଣ ଲୋକ ଦେଖିପାରିବେ ନାହିଁ ଏଥିପାଇଁ ଭିଭିଆଇପି ହେବାକୁ ପଡିବ ବୋଲି ଏବେ ଚର୍ଚ୍ଚା ହେଉଛି ।