ଓଡିଆ ଖବର କାଗଜ ସମ୍ବାଦର ଆଜି ୩୫ତମ ଜନ୍ମଦିନ । ସେପଟେ ୧୦ ବର୍ଷ ପୂରଣ କରିଛି କନକ ନ୍ୟୁଜ, ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

368

କନକ ବ୍ୟୁରୋ : ଦୈନିକ ଖବରକାଗଜ ‘ସମ୍ବାଦ’ ୩୫ ତମ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ କନକ ନ୍ୟୁଜକୁ ପୂରିଛି ୧୦ ବର୍ଷ । ସାଧାରଣ ଲୋକଙ୍କ କଥାକୁ ଟିଭି ପରଦାରେ ଆଣିଛି କନକ ନ୍ୟୁଜ । ଗୋଟିଏ ଦଶନ୍ଧିର ଯାତ୍ରା ପୂରଣ କରିଛି ଏହି ବୈଦ୍ୟୁତିକ ଗଣମାଧ୍ୟମ । ଏହି ଅବସରରେ ଆଜି ସକାଳ ୧୦ଟାରୁ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିଭଳି ଓଡିଶାର ବିକାଶ ନେଇ ଏକ ପ୍ୟାନେଲ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ ଓ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ ସାମିଲ ହେବେ । ସେପଟେ ଆଜି ମଧ୍ୟ ୩୫ ତମ ବାର୍ଷିକ ଉତ୍ସବ ପାଳନ କରୁଛି ସର୍ବାଧିକ ପ୍ରସାରିତ ଓଡ଼ିଆ ଦୈନିକ ଖବରକାଗଜ ସମ୍ବାଦ ।

 

୧୯୮୪ ମସିହା ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ ଆତ୍ମପ୍ରକାଶ କରିଥିଲା । ଖବର ପ୍ରକାଶନରେ ସମ୍ବାଦ ବହୁ ନୂଆ ଧାରାର ପଥପ୍ରଦର୍ଶକ ସାଜି ଆସିଛି । ୩୫ ବର୍ଷର ଏହି ଗୌରବମୟ ଯାତ୍ରାରେ ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ସମ୍ବାଦ । ବହୁ ଝଡଝଂଜା ସହି ନିରବଚ୍ଛିନ୍ନ ଭାବେ ଓଡିଶାବାସୀଙ୍କ ପାଖରେ ଖବର ପହଂଚାଇ ଆସିଛି ଏବଂ ଆଜି ଘରେ ଘରେ ପରିଚିତ ହୋଇପାରିଛି ସମ୍ବାଦ । ୩୫ ବର୍ଷ ପୂରଣ କରି ସମସ୍ତଙ୍କ ପ୍ରିୟ ଖବର କାଗଜ ସମ୍ବାଦ ଆଜି ୩୬ତମ ବର୍ଷରେ ପାଦ ଥାପିଛି । ଏହି ଅବସରରେ ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମରେ ପଂଚତ୍ରିଂଶତ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଭାରତର ବିଖ୍ୟାତ ସାମ୍ବାଦିକ କରନ୍ ଥାପର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ନବଭାରତ ଟାଇମ୍ସର ପ୍ରାକ୍ତନ ମୁଖ୍ୟ ସଂପାଦକ ରାମ କ୍ରିପାଲ ସିଂହ ମୁଖ୍ୟବକ୍ତା ଭାବେ ଏହି ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।