ଲଘୁଚାପ ଜନିତ ଲଗାଣ ବର୍ଷା ଜାରି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ୧୦ଟି ଜିଲ୍ଲାରେ ସ୍କୁଲ ଛୁଟି

2,158

କନକ ବ୍ୟୁରୋ : ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଆଜି ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଳାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଛୁଟି ରହିବ ବୋଲି ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଛନ୍ତି । ଗତକାଲି ପ୍ରବଳ ବର୍ଷା ଯୋଗୁଁ କଟକ, କେନ୍ଦ୍ରାପଡା. ଢ଼େଙ୍କାନାଳ, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍କୁଲ ଓ ଅଙ୍ଗନୱାଡି ଗୁଡିକ ଛୁଟି ଘୋଷଣା କରାଯାଇଥିଲା ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଲାଗି ରହିବାରୁ ସବୁଆଡେ ପାଣି ଆଉ ପାରି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତି ଆହୁରି ୨୪ ଘଂଟା ଯାଏଁ ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆଜି ଢ଼େଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଧା ଓ ପୁରୀ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପାଂଚଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ନୟାଗଡ, ଦେବଗଡ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ସୁନ୍ଦରଗଡ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ଆଶଙ୍କା ଥିବାରୁ ସମ୍ପୃକ୍ତ ଜିଲ୍ଳାର ଜିଲ୍ଳାପାଳମାନେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।