ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବ‌ର୍ଷା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

366

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏଥିସହ ଆଜି ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି । ଏହାପରେ ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୭ରୁ ୨୯ ତାରିଖ ମଧ୍ୟରେ ଭଲ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରେ ୨୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଉପକୂଳ ଓଡ଼ିଶାର ବାଲେଶ୍ବର, ମାଲକାନଗିରି, କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ। କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୮ ଓ ୨୯ ତାରିଖ ଆଡ଼କୁ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହେବ । ଏଥିସହ ୨୮ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୨୯ ତାରିଖ ଦିନ କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଅନୁଗୁଳ, କଟକ, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନେକ ଜିଲ୍ଲାରେ ସେଦିନ ଅତିପ୍ରବଳ ବର୍ଷାର ବି ଆଶଙ୍କା କରାଯାଉଛି । ରାଜ୍ୟରେ ୧ ଜୁନ୍‌ରୁ ୨୫ ଜୁଲାଇ ମଧ୍ୟରେ ୩୯୭.୯ ମିମି ବର୍ଷା ହୋଇଯାଇଛି । ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୪୮୬.୭ ମିମି ବର୍ଷା ବର୍ଷା ହୋଇଥାଏ।