ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ, କାରଣ ଏଯାଏଁ ଅସ୍ପଷ୍ଟ, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ ।

343

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରରେ ବଡ ଅଘଟଣ । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି । ତେବେ କେଉଁଥିପାଇଁ ସେ ଆତ୍ମହତ୍ୟା କଲେ, କାହିଁକି ଶ୍ରୀମନ୍ଦିର ପରିସରରେ ଆତ୍ନହତ୍ୟା କଲେ, ଜଣାପଡି ନାହିଁ । ତେବେ ସିଂହଦ୍ୱାର ଆଗରେ ଜଗନ୍ନାଥ ମନ୍ଦିର ସୁରକ୍ଷା କର୍ମୀ ଓ ବ୍ୟାପକ ପୁଲିସ ମୁତୟନ ସତ୍ତେ୍ୱ  କିପରି ସେ ଗୁମୁଟ ଉପରେ ଚଢିଲେ, ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ଆଉ ଏହା ସିଧାସଳଖ ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଆଡକୁ ଇସାରା କରୁଛି ।

ଶ୍ରୀକ୍ଷେତ୍ରରେ ସ୍ୱାଭାବିକ ଭାବେ ଗହଳ ଚହଳ ଲାଗିଥିଲା । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଧାଡିରେ ଶ୍ରୀମନ୍ଦିର ଭିତରକୁ ଯାଉଥିଲେ ଶ୍ରଦ୍ଧାଳୁ । ଏହି ସମୟରେ ସିଂହଦ୍ୱାର ଗୁମୁଟ ଉପରୁ ଜଣେ କିନ୍ନର ଡେଇଁପଡିଥିଲେ । ଗୁରୁତର ଅବସ୍ଥାରେ ତୁରନ୍ତୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର  ମୃତ ଘୋଷଣା କରିଛନ୍ତି । ମୃତକ ହେଉଛନ୍ତି ନିମାପଡା ଗଡଇଟା ଗାଁର ବଳରାମ ରାଉତ । ସେ କାହିଁକି ଆତ୍ମହତ୍ୟା କଲେ ଜଣାପଡି ନାହିଁ ।

ପୁରୀ ମନ୍ଦିର ସିଂହଦ୍ୱାର ଗୁମୁଟରୁ କିନ୍ନର ଡେଇଁ ଆତ୍ମହତ୍ୟା କରିବା ଢିଲା ସୁରକ୍ଷା ବ୍ୟବସ୍ଥା ଆଡକୁ ଇସାରା କରୁଛି । ପ୍ରଶ୍ନ ଉଠୁଛି- ଶ୍ରୀମନ୍ଦିର ସୁରକ୍ଷାକର୍ମୀ ଓ ପୁଲିସ ଉପସ୍ଥିତିରେ କେମିତି ଗୁମୁଟ ଉପରେ ଚଢିଲେ କିନ୍ନର? ସିଂହଦ୍ୱାର ନିକଟରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ଥିବା ସତ୍ୱେ ସେ ଆତ୍ମହତ୍ୟା କରିପାରିଲେ କେମିତି? କୁହାଯାଉଛି କିନ୍ନର ଜଣକ ଆନନ୍ଦବଜାର, ଚାହାଣୀ ମଣ୍ଡପ ପଟୁ ଗୁମୁଟ ଉପରକୁ ଚଢିଯାଇଥିଲେ । ସେବାୟତ, ଶ୍ରଦ୍ଧାଳୁ ତାଙ୍କୁ ରୁହ ରୁହ ବୋଲି କହୁଥିବା ବେଳେ ସେ ଡେଇଁପଡିଥିବା ଜଣାପଡିଛି । ସିଂହଦ୍ୱାରରେ ଡ୍ୟୁଟିରେ ଥିବା ଦୁଇ ଜେଟିପିଙ୍କ ରିପୋର୍ଟ ଆଧାରରେ ପୁଲିସ ତଦନ୍ତ ଚଳାଇଛି ।

ଶ୍ରୀମନ୍ଦିର ଅରୁଣସ୍ତମ୍ଭ ଠାରୁ ସିଂହଦ୍ୱାର ମଧ୍ୟରେ ଏହି ଘଟଣା ଘଟିଥିବାରୁ ନୀତିକାନ୍ତିରେ କୌଣସି ବାଧା ଉପୁଜି ନାହିଁ । ଘଟଣା ପରେ ଶ୍ରୀମନ୍ଦିର ଶୋଧକାରୀ ଦଳ ଦ୍ୱାର ଚୁନ ପାଣି ପଡି ପରିଷ୍କାର କରାଯାଇଛି ।