ପାଣି ପାଇଁ ଲଢ଼େଇ କରୁଛନ୍ତି ଲୋକେ । ତାତି ବଢିବା ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଲା ଜଳକଷ୍ଟର ଚିତ୍ର…

72

କନକ ବ୍ୟୁରୋ: ପାଣି ପାଇଁ ହାହାକାର । ଅସହ୍ୟ ଗରମ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାନୀୟ ଜଳର ଉକ୍ରଟ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ପାଣି ପାଇଁ କିଏ ଜଙ୍ଗଲକୁ ଯାଉଛି ତ, କେଉଁଠି ପାଣି ନେବା ପାଇଁ ଟ୍ୟାଙ୍କର ଆଗରେ ଲାଗିଛି ଲମ୍ବା ଲମ୍ବା ଧାଡ଼ି । ଆଠଗଡ଼ କୁଲାଇଲୋ ପଞ୍ଚାୟତ ତଳଗଡ଼ ଗାଁରେ ଟ୍ୟାଙ୍କର ଆଗରେ ପାଣି ନେବା ପାଇଁ ଲାଗିଛି ମହିଳାଙ୍କ ଭିଡ । ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଷ୍ଟାଣ୍ଡ ପୋଷ୍ଟ ନିର୍ମିତ କରାଯାଇଛି, ହେଲେ ପାଣି ଆସୁନି । ତେଣୁ ବୋରୱେଲ କରି ପାନୀୟ ଜଳର ସୁବିଧା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ସେହିପରି ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ଭେକ୍ଟା ଗାଁରେ ପାନୀୟ ଜଳର ସୁବିଧା ନଥିବାରୁ ମହିଳାମାନେ ଅଢେଇ କିଲୋମିଟର ଚାଲି ଚାଲି ଜଙ୍ଗଲ ମଧ୍ୟ ଦେଇ ପାଣି ଆଣିବାକୁ ଯାଉଛନ୍ତି । ପାନୀୟ ଜଳ ସମସ୍ୟାକୁ ଦୂର କରିବାକୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନର ଚେତା ପଶୁନି । ସେପଟେ ତଦନ୍ତ କରାଯାଇ ଖୁବଶୀଘ୍ର ଗାଁରେ ନଳକୂପ ବସାଯିବ ବୋଲି କହିଛନ୍ତି ରାଜନଗର ବିଡିଓ ।

ସେପଟେ ଢେଙ୍କାନାଳ ଓଡାପଡ଼ା ବ୍ଲକ୍ ସଦାସିବପୁର ପଞ୍ଚାୟତରେ ବାସ କରୁଥିବା ତିନି ଗାଁର ଲୋକଙ୍କୁ ପାଣି ପାଇଁ ମାଇଲ୍ ମାଇଲ୍ ଚାଲିବାକୁ ପଡ଼ୁଛି । ଏଠାକାର ଲୋକେ ବର୍ଷ ବର୍ଷ ଧରି ବ୍ରାହ୍ମଣୀ ନଦୀର ପାଣି ଉପରେ ନିର୍ଭର କରିଆସୁଛନ୍ତି । ଅପରିଷ୍କାର ନଦୀ ଜଳ ପିଇ ଲୋକେ କିଡନୀ ଓ ହୃଦଜନିତ ରୋଗର ଶିକାର ହେଉଛନ୍ତି । ସ୍ଥାନୀୟ ସରପଞ୍ଚ ପାନୀୟ ସଙ୍କଟକୁ ସ୍ୱୀକାର କରିବା ସହ ଏହାର ପ୍ରତିକାର ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି । ରାଜ୍ୟରେ ପାନୀୟ ଜଳ ସଙ୍କଟ ଲାଗି ରହିଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଉଛି । ଏହାସହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଲା ।