ବହୁତ ହୋଇଗଲା… ଆଉ ନୁହେଁ: ବାଲ୍ୟ ବିବାହ ବିରୋଧରେ ପୂଜା ଓ ଅନିଶା

124

କନକ ବ୍ୟୁରୋ: ରାଜଧାନୀରେ ବାଲ୍ୟ ବିବାହ ବିରୋଧରେ ଉଠିଛି ସ୍ୱର । ନିଜର ତିକ୍ତ ଅନୁଭୂତିକୁ ନେଇ ଦୁଇ ଜଣ ଝିଅ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ସ୍ୱେଛାସେବୀ ଅନୁଷ୍ଠାନ ରୁଚିକା ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଏଭଳି ବାଳିକା ମଣ୍ଡଳ ଗଠନ କରିଛି । ରାଜଧାନୀର ବସ୍ତିଗୁଡିକରେ କିଛିଦିନ ହେଲା ବାଲ୍ୟ ବିବାହ ବଢିଥିଲା । ଆଉ ଏବେ ଏ ନେଇ ସଚେତନ କରାଯିବା ପାଇଁ ଅଂଟା ଭିଡିଛନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ।

ପୂଜା ଓ ଅନିଶା । ବାଲ୍ୟ ବିବାହ ଭଳି କୁପ୍ରଥା ବିରୋଧରେ ଉଠାଇଛନ୍ତି ସ୍ୱର । ନିଜେ ଅନୁଭବ କରିଥିବା ତିକ୍ତ ଅନୁଭୂତିକୁ ଯେମିତି ଆଉ କୌଣସି ଝିଅ ସାମ୍ନା କରିବେ ନାହିଁ, ସେଥିପାଇଁ ଅଂଟା ଭିଡିଛନ୍ତି । ବସ୍ତି ବସ୍ତି ବୁଲି ବାଲ୍ୟ ବିବାହ ବିରୋଧରେ ଲୋକଙ୍କୁ କରାଉଛନ୍ତି ସଚେତନ । ଆଜି କନ୍ୟା ସୁରକ୍ଷା ପାଇଁ ମଙ୍ଗ ଧରିଥିବା ପୂଜା ଓ ଅନିଶା ଦିନେ ବାଲ୍ୟ ବିବାହର ଜଞ୍ଜାଳରେ ଫସିଯାଇଥାନ୍ତେ । ପୂଜାଙ୍କୁ ୧୪ ବର୍ଷ ହୋଇଥାଏ । ସେତେବେଳକୁ ମାଟ୍ରିକ ପଢୁଥାନ୍ତି ପୂଜା । ପରିବାରଲୋକ ପୂଜାଙ୍କର ବିବାହ କରିବା ପାଇଁ ସବୁ ପ୍ରସ୍ତୁତି ସାରିଦେଇଥିଲେ । ବିବାହ ପାଇଁ ପରିବାରଲୋକ ପ୍ରସ୍ତୁତି ବି ଆରମ୍ଭ କରିସାରିଥିଲେ । ନିର୍ବନ୍ଧ ଦିନ ବି ଧାର୍ଯ୍ୟ ହୋଇସାରିଥିଲା । କିନ୍ତୁ ନିର୍ବନ୍ଧ ଦିନ ଘରୁ ଲୁଚି ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ ପୂଜା ।

ପୂଜାଙ୍କ ଭଳି ଅନିଶାଙ୍କ ସହ ବି ସମାନ ଘଟଣା ଘଟିଥିଲା । ପ୍ରଥମେ ଅଷ୍ଟମ ଓ ପରେ ଦଶମ ପଢିଲା ବେଳୁ ଅନିଶାଙ୍କ ବିବାହ ପାଇଁ ବର ପାତ୍ର ଖୋଜା ସରିଥିଲା । ବାହାଘର ପାଇଁ ଘର ଲୋକ ବାଧ୍ୟ କରୁଥିଲେ । କିନ୍ତୁ କାହାରିକୁ ଖାତିର ନକରି ଘର ଲୋକ ଓ ବନ୍ଧୁ ପ୍ରିୟଜନଙ୍କ ସହ ଲଢେଇ କରି ନିଜ ବାହାଘର ଭାଙ୍ଗିଲେ । ଆଉ ଏବେ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବୁଲି ବୁଲି କନ୍ୟା ସୁରକ୍ଷା ପାଇଁ ଚଳାଇଛନ୍ତି ଅଭିଯାନ ।

ସ୍ୱେଛାସେବୀ ଅନୁଷ୍ଠାନ ରୁଚିକା ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଏଭଳି ବାଳିକା ମଣ୍ଡଳ ଗଠନ କରିଛି । ବାଳିକା ମଣ୍ଡଳରେ ଥିବା ଝିଅମାନେ ନିଜର ସୁରକ୍ଷା କରିବା ସହ ବସ୍ତିର ଝିଅମାନଙ୍କୁ ବାଲ୍ୟ ବିବାହ, କନ୍ୟା ସୁରକ୍ଷା ସମ୍ପର୍କରେ ବୁଝାଉଛନ୍ତି । ବାଳିକା ମଣ୍ଡଳର ଏହି ନିଆରା ଅଭିଯାନକୁ ପୋଲିସ ବି ପ୍ରଶଂସା କରିଛି ।

ଗତ କିଛି ବର୍ଷ ହେବ ଭୁବନେଶ୍ୱରର ବସ୍ତିରେ ବାଲ୍ୟ ବିବାହର ସଂଖ୍ୟା ବଢିଚାଲିଥିଲା । କିନ୍ତୁ ବାଳିକା ମଣ୍ଡଳର ବାଲ୍ୟ ବିରୋଧୀ ଅଭିଯାନ ଆରମ୍ଭ ପରେ ବାଲ୍ୟ ବିବାହର ସଂଖ୍ୟା କମିଥିବା ପୋଲିସ କହିଛି ।