ଭାରତର ପ୍ରତିବନ୍ଧକ ପରେ ଗହମ ଅଭାବରେ ବିଶ୍ୱ: ୟୁରୋପ ବଜାରରେ ହଠାତ ବଢିଗଲା ଗହମର ଦର

249

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ସାରା ଦେଶରେ ଦେଖା ଦେଇଛି ଗହମ ଅଭାବ ସଙ୍କଟ । ଦୀର୍ଘ ଅଢେଇ ମାସ ହେବ ଚାଲିଛି ଯୁଦ୍ଧା ।ଏହା କାରଣରୁ ଗହମ ଯୋଗାଣରେ ବଡ ବାଧା ସୃଷ୍ଟି ହୋଇଛି । ଏହି ଦୁଇ ଦେଶ ପ୍ରାୟ ୧୨ ପ୍ରତିଶତ ଗହମ ଯୋଗଦାନ କରିଥାନ୍ତି । କିନ୍ତୁ ଯୁଦ୍ଧ ପାଇଁ ୟୁରୋପକୁ ଏଠାରୁ ଗହମ ସପ୍ଲାୟ ସମ୍ପୂର୍ଣ୍ଣ ଭାବେ ଠପ ହୋଇଛି । ଏଭଳି ସ୍ଥିତିରେ ବିଶ୍ୱ ବଜାରରେ ଗହମର ଦାମ ବୃଦ୍ଧି ପାଉଛି । ସେପଟେ ବିଦେଶକୁ ଭାରତ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାରେ ବର୍ତମାନ ୟୁରୋପ ବଜାରରେ ହଇଚଇ ସୃଷ୍ଟି ହୋଇଛି ।

ଗହମ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ ନିଷ୍ପ୍ତି ଏବେ ୟୁରୋପୀୟ ବଜାରରେ ହଇଚଇ ସୃଷ୍ଟି କରିଛି । ଏଠାରେ ଏଣିକି ଗହମର ଦର ଆକାଶଛୁଆଁ ହୋଇଛି । ସୋମବାର ୟୁରୋପୀୟ ବଜାର ଖୋଲିବା ସହ ଗହମ ପ୍ରତି ଟନର ମୂଲ୍ୟ ୪୩୫ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୩୫ହଜାର ୨୭୫ଟଙ୍କାରେ ପହଁଚିଛି । ଗହମ ରପ୍ତାନୀ ଉପରେ ଗତ ସପ୍ତାହରେ ରୋକ ଲଗାଇଛନ୍ତି ଭାରତ ସରକାର । ଏହାକୁ ପ୍ରତିବନ୍ଧିତ ଶ୍ରେଣୀରେ ଅର୍ନ୍ତଭୁକ୍ତ କରାଯାଇଥିବାବେଳେ ଭାରତ ସରକାରଙ୍କ ବିନା ଅନୁମତିରେ ଅନ୍ୟ ଦେଶମାନଙ୍କୁ ଏଣିକି ଗହମ ପଠାଯାଇପାରିବନି ବୋଲି କୁହାଯାଇଛି । ସେପଟେ ଅର୍ନ୍ତଜାତୀୟ ବଜାରରେ ଦିନକୁ ଦିନ ଗହମର ଅଭାବ ଦେଖାଯିବା ପରେ ମୂଲ୍ୟ ବି ଆକାଶଛୁଆଁ ହେବାରେ ଲାଗିଛି ।

ଅର୍ନ୍ତଜାତୀୟ ବଜାରରେ ଗହମର ମୂଲ୍ୟରେ ଥରକେ ୪୦ପ୍ରତିଶତ ବୃଦ୍ଧି ହୋଇଥିବାରୁ ଏହା ବିଭିନ୍ନ ଦେଶକୁ ଚିନ୍ତାରେ ପକାଇଛି । ଏହାକୁ ନଜରରେ ରଖି ଖାଦ୍ୟ ସୁରକ୍ଷା ଆଇନକୁ ସୁନିଶ୍ଚିତ କରିବାକୁ ଏବେ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ବର୍ତମାନ ୟୁକ୍ରେନ ଓ ରୁଷ ମଧ୍ୟରେ ଯେଉର୍ ଯୁଦ୍ଧ ଚାଲିଛି ତାର ପ୍ରଭାବରେ ବୈଶୟିକ ସ୍ତରରେ ଗହମର ଚାହିଦା କିଭଳି ପୂରଣ ହେବ ତା ଉପରେ ଆଶଙ୍କା ସୃଷ୍ଟି ହୋଇଛି ।

ଦେଶରେ ଗହମର ଦର ବୃଦ୍ଧି କାରଣ
କୋଭିଡ ମହାମାରୀ ସମୟରେ ମାଗଣା ଖାଦ୍ୟ ବିତରଣ ଯୋଗୁଁ ଭଣ୍ଡାରରେ ଗହମ ପରିମାଣ ହ୍ରାସ
ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମଦାନୀ ଠପ୍
ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଚାଷ ପ୍ରଭାବିତ
ଯୁଦ୍ଧ ଯୋଗୁଁ ବୈଷୟିକସ୍ତରରେ ଗହମର ମୂଲ୍ୟ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି
୧୨ବର୍ଷ ମଧ୍ୟରେ ଦେଶରେ ଗହମର ଦର ସବୁଠୁ ଅଧିକସ୍ତରରେ ବୃଦ୍ଧି

୨୦୨୧ ମସିହାରେ ବୈଶୟିକ ବଜାରକୁ ରୁଷ ଓ ୟୁକ୍ରେନ ୧୨ପ୍ରତିଶତ ଗହମ ରପ୍ତାନୀ ଯୋଗଦାନ ଦେଇଥିଲ । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ସହ ଗହମ ଯୋଗାଣ ବନ୍ଦ ହୋଇଛି ଓ ଏହା ଫଳରେ ରେକର୍ଡ ସ୍ତରରେ ଦରଦାମ ବୃଦ୍ଧି ପାଇଛି ।

ଗହମ ଅଭାବ ଯୋଗୁଁ ଗରିବ ଦେଶରେ ସ୍ଥିତି ଆଗକୁ ଆହୁରି ଅସମ୍ଭାଳ ଓ ସାମାଜିକ ଅଶାନ୍ତିର ଆଶଙ୍କା ବି ଦେଖା ଦେଇପାରେ । ଗହମ ଉତ୍ପାଦନ ଓ ବୈଶୟିକ ବଜାରରେ ମୂଲ୍ୟ ବୃଦ୍ଧିକୁ ଦେଖି ଭାରତ ସରକାର ନିଜର ଦେଶରେ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତିିତ ଅଛନ୍ତି । ଫଳରେ ଗହମ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ମୋଦୀ ସରକାର ।