ସୁବର୍ଣ୍ଣରେଖାରେ ଧିରେ ଧିରେ ଖସୁଛି ଜଳସ୍ତର । ହେଲେ ଏବେ ବି ହଟିନି ବିପଦ । ତଳିଆ ଅଞ୍ଚଳରେ ଉଛୁଳୁଛି ବନ୍ୟା ପାଣି ।

80

କନକ ବ୍ୟୁରୋ: ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ଜଳସ୍ତର । ହେଲେ ବଡ଼ ବନ୍ୟାର ଯେଉଁ ଆଶଙ୍କା କରାଯାଇଥିଲା, ତାହା ଆକଳନ ଠାରୁ ସାମାନ୍ୟ କମିଯାଇଛି । ହେଲେ ବିପଦ ହଟିନି । ଆଜି ମଧ୍ୟାହ୍ନରେ ପିକ୍ ଫ୍ଲଡ ଅତିକ୍ରମ କରିସାରିଛି । ରାଜଘାଟରେ ଦୀର୍ଘ ସମୟ ଧରି ସୁବର୍ଣ୍ଣରେଖାର ଜଳସ୍ତର ୧୧.୯୦ ମିଟର ରହିବା ପରେ ପାଣି ଧୀରେ ଧୀରେ ଖସିବାରେ ଲାଗିଛି । ତେବେ ଲୋକଙ୍କ ଦୁର୍ଦ୍ଦିନ କମିନାହିଁ । ଅନେକ ସ୍ଥାନରେ ଲୋକେ ପାଣିଘେରରେ ଅଛନ୍ତି ।

  • ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ଜଳସ୍ତର
  • ହେଲେ ଏବେ ବି ହଟିନି ବିପଦ

ପ୍ରବଳ ବର୍ଷା ହେବା ପରେ ଗାଲୁଡିହ ଡ୍ୟାମ୍ ଖୋଲି ଦେଇଥିଲା ଝାଡଖଣ୍ଡ । ସୁବର୍ଣ୍ଣରେଖାରେ ପ୍ରତି ସେକେଣ୍ଡରେ ୬ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବା ପରେ ଯେଉଁ ବଡ଼ ବନ୍ୟାର ଆଶଙ୍କା କରାଯାଇଥିଲା, ତାହା ଆକଳନ ଠାରୁ ସାମାନ୍ୟ କମିଯାଇଛି । କାରଣ ମଧ୍ୟାହ୍ଣରେ ପିକ୍ ପ୍ଲଡ୍ ଅତିକ୍ରମ କରିଛି । ରାଜଘାଟରେ ଦୀର୍ଘ ସମୟ ଧରି ସୁବର୍ଣ୍ଣରେଖାର ଜଳସ୍ତର ୧୧.୯୦ ମିଟର ରହିବା ପରେ ପାଣି ଧୀରେ ଧୀରେ ଖସିବାରେ ଲାଗିଛି ।

ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଂକେତର ପ୍ରାୟ ୯ ଫୁଟ ଉପରେ ପାଣି ପ୍ରବାହିତ ହେବା ପରେ ପ୍ରଶାସନ ଠାରୁ ସାଧାରଣ ଲୋକ ସମସ୍ତଙ୍କ ମନରେ ଛନକା ପଶିଯାଇଥିଲା । ଆଉ ଟିକେ ଉପରକୁ ଜଳସ୍ତର ଉଠିଥିଲେ ପରିସ୍ଥିତି ଆହୁରି ସଂଗୀନ ହୋଇ ଯାଇଥାନ୍ତା । ତେବେ ବାଲେଶ୍ୱରର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଏହି ୪ଟି ବ୍ଲକ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜର କିଛି ଅଂଚଳ ମଧ୍ୟ ପ୍ରବାହିତ ହୋଇଛି । ତଳିଆ ଅଞ୍ଚଳରେ ଉଛୁଳୁଛି ବନ୍ୟାପାଣି । ରାସ୍ତା ଉପରେ ପାଣି ଚାଲୁଛି । ଚାଷଜମି, ଜନବସତି ସବୁ ଏକାକାର ହୋଇ ଯାଇଛି । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ପ୍ରଶାସନ । ଏନଡିଆଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ପାଣି ଘେରରେ ଅନେକ ଗାଁ ରହିଥିବା ବେଳେ ୪୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ଆଉ ଦୁଇ-ତିନି ଦିନ ପର୍ଯ୍ୟନ୍ତ ତଳିଆ ଅଂଚଳରେ ରହିବ ବନ୍ୟା ସ୍ଥିତି । ଏବଂ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଜଳସଂମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ଗାଲୁଡିହ ଡ୍ୟାମରୁ ପାଣି ନିଷ୍କାସନ ହ୍ରାସ ପାଇଛି । ରାଜଘାଟରେ ସେଂଟ୍ରାଲ ୱାଟର କମିଶନଙ୍କ ଟିମ୍ ପହଁଚି ଜଳସ୍ତରର ତଦାରଖ କରିଛନ୍ତି । ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡିକ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଟିମ୍ । ବନ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ କାମରେ ତହସିଲଦାର, ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କୁ ସହଯୋଗ କରିବେ । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବନ୍ୟାଞ୍ଚଳରେ ଥିବା ସମସ୍ତ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

  • ବନ୍ୟା ଭିତରେ ପୁଣି ଆସୁଛି ବର୍ଷା
  • ଆସନ୍ତା ଦୁଇ ଦିନ ବର୍ଷା ଆଶଙ୍କା

ବନ୍ୟା ଭିତରେ ପୁଣି ବର୍ଷା ଆଶଙ୍କା, ଚିନ୍ତା ବଢ଼ାଇ ଦେଇଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରୀୟ ରହିଛି । ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସାଟେଲାଇଟ୍ ଚିତ୍ର ମଧ୍ୟ ଦର୍ଶାଉଛି । ଆସନ୍ତା ଦୁଇଦିନ ବର୍ଷା ହେବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ରାଜ୍ୟ ୨୦ଟି ଜିଲ୍ଲାରେ ମଙ୍ଗଳବାର ଦିନ ବର୍ଷା ହୋଇପାରେ । ପୂର୍ବ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା ମଧ୍ୟ ରହିଛି । ସେହିପରି ବୁଧବାର ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।