ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ: ୯୦ ଦିନ ସମୟ ଦେଲା ଡ୍ରାଇଭର ମହାସଂଘ, ଦାବି ପୂରଣ ନହେଲେ ଆହୁରି ଜୋରଦାର ହେବ ଆନ୍ଦୋଳନ

104

କନକ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ରାଜ୍ୟରେ ଏକରକମ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗତକାଲି ରାତିରେ ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ବି ଡ୍ରାଇଭର ଆନ୍ଦୋଳନ ଥମିବ କି ନାହିଁ ଏ ନେଇ ଅନିଶ୍ଚିତତା ଜାରି ରହିଥିଲା । କିନ୍ତୁ ଆଜି ଅପରାହ୍ଣରେ ଆଶ୍ୱସ୍ତି କରିଥିଲା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଫେସ୍ବୁକ୍ ପୋଷ୍ଟ । ସୋସିଆଲ୍ ମିଡିଆରେ ୯୦ ଦିନ ପାଇଁ ଡ୍ରାଇଭରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ଅପିଲ୍ କରିଥିଲେ ମହାସଂଘର ସଭାପତି । କିନ୍ତୁ ୯୧ ଦିନରେ ଆହୁରି ଜୋରଦାର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ଏପରି ଆନ୍ଦୋଳନ ପୂର୍ବରୁ କେବେ ହୋଇ ନଥିଲା । ଯଦି ଦାବି ପୂରଣ ନହୁଏ, ତେବେ ୯୧ ଦିନ ବଡ଼ ଆନ୍ଦୋଳନ କରିବେ ଡ୍ରାଇଭର । ନବୀନ ନିବାସ ଆଗରେ ସାମୁହିକ ଆତ୍ମାହୂତି ଦେବେ ବୋଲି ଚେତାଇ ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ।

ଲିଖିତ ପ୍ରତିଶ୍ରୁତି ପରେ ଆଜି ସକାଳୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବାରୁ ବିବ୍ରତ ହୋଇ ପଡ଼ିଥିଲେ ସରକାର । ଲୋକ ଦୁର୍ଦ୍ଦଶା ବଢ଼ୁଥିବାରୁ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସ୍ୱାଭାବିକ ନହେବାରୁ ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଇନକୁ ହାତ ନନେବା ପାଇଁ ସେ ଅପିଲ୍ କରିଥିଲେ । ପୁଲିସ ଡିଜି ମଧ୍ୟ ରାସ୍ତା ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ । ଏପଟେ ପରିବହନ ମନ୍ତ୍ରୀ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅପିଲ୍ କରିଥିଲେ । ଶେଷରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ଡ୍ରାଇଭର ମହାସଂଘ ।